ପୁଲୱାମା: ଜମ୍ମୁ ଓ କଶ୍ମୀରର ପୁଲୱାମାଠାରେ ଆଜି ଏକ ଏନକାଉଣ୍ଟରରେ 2 ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ଆହତ ହୋଇଛି । ଏହାସହ 4 ଜଣ ଯବାନ ଶହୀଦ ହୋଇଥିବା ଜଣାପଡିଛି ।
ତେବେ ଏହି ଏନକାଉଣ୍ଟର ସମୟରେ ପୋଲିସ ପାଇଁ ପୁଣିଥରେ ବାଧା ସାଜିଛନ୍ତି ସ୍ଥାନୀୟ ଲୋକେ । ସେନା ଓ ସ୍ଥାନୀୟ ପୋଲିସଙ୍କ ମିଳିତ ସହଯୋଗରେ ଏହି ଅପରେସନ ଚାଲିଥିବା ବେଳେ କିଛି ଯୁବକଙ୍କ ପାଇଁ ଏଥିରେ ବାଧାପ୍ରାପ୍ତ ହୋଇଛି । ପୋଲିସ ଏନକାଉଣ୍ଟର କରିବା ପରେ ଉକ୍ତ ଅଞ୍ଚଳକୁ ଘେରାଓ କରି ସିଲ କରିବାକୁ ଉଦ୍ୟମ କରୁଛି । ଆହୁରି କିଛି ଆତଙ୍କୀ ଲୁଚି ରହିଥିବାର ଖବର ରହିଥିବାରୁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।
କିନ୍ତୁ ସବୁବେଳେ ସେନା ପାଇଁ ବାଧା ସାଜୁଥିବା କଶ୍ମୀରର ଯୁବପିଢି ଏଥର ମଧ୍ୟ ସମସ୍ୟା ସୃଷ୍ଟି କରିଛନ୍ତି । ସ୍ଥାନୀୟ କିଛି ଯୁବକ ଦଳବଦ୍ଧ ହୋଇ ଏନକାଉଣ୍ଟର ହୋଇଥିବା ଜାଗାରେ ଏକାଠି ହୋଇଛନ୍ତି । ଏହାସହ ସେମାନେ ସେନା ବିରୋଧରେ ନାରାବାଜି ଦେବା ସହ ଜୋରରେ ପାଟିତୁଣ୍ଡ କରି ହ୍ୱିସିଲ ମାରୁଛନ୍ତି । ତେବେ ଏମାନଙ୍କ ପକ୍ଷରୁ ପଥର ଫିଙ୍ଗା ହେବାର ଆଶଙ୍କା ଥିବାରୁ ସେନା ପକ୍ଷରୁ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।
ପୁଲୱାମା ପୋଲିସ ପକ୍ଷରୁ ମାଇକ ଯୋଗେ ଯୁବକଙ୍କୁ ଜାଗା ଛାଡି ଯିବାକୁ ଆଦେଶ ଦିଆଯାଇଛି । ପୋଲିସ ଅନୁରୋଧ କରି କହିଛି, "ଆପଣ ସମସ୍ତେ ଯୁବକ । ଆଗକୁ ଆପଣଙ୍କ ଭବିଷ୍ୟତ ରହିଛି । ଆପଣଙ୍କ ଜୀବନ ଆମ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ । ଏପର୍ଯ୍ୟନ୍ତ ଜାଗାକୁ କ୍ଲିୟର ଘୋଷଣା କରାଯାଇନାହିଁ । ପୋଲିସ ପୁରା ଅଞ୍ଚଳକୁ ନିଜ ଅଧୀନକୁ ନେବ । ତେଣୁ ଦୟାକରି ଆପଣ ସମସ୍ତେ ଏ ଜାଗା ଛାଡି ଚାଲି ଯାଆନ୍ତୁ ।"
ଏହାସହ ଜଣେ ପୋଲିସ ଅଫିସର ମାଇକରେ ଘୋଷଣା କରୁଥିବାବେଳେ ଏହା ମଧ୍ୟ କହିଛନ୍ତି, "ଆପଣଙ୍କ ବଡଭାଇ ହିସାବରେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ନିଜ ଜୀବନ ବଞ୍ଚାଇ ଏଠାରୁ ପଳାଇ ଯାଆନ୍ତୁ । ଆପଣଙ୍କ ଜୀବନ ବହୁତ ମୂଲ୍ୟବାନ । ଘରେ ଆପଣଙ୍କର ପରିବାର ଅଛନ୍ତି । ଭାବପ୍ରବଣତା ହୁଅନ୍ତୁ ନାହିଁ । ଦୟାକରି ଫେରିଯାଆନ୍ତୁ" ବୋଲି ଉକ୍ତ ପୋଲିସ ଜଣକ ସଂଗଠିତ ହୋଇଥିବା ଯୁବକଙ୍କୁ ଅନୁରୋଧ କରିଛନ୍ତି ।
ତେବେ ଏହାପରେ ମଧ୍ୟ ଯୁବକମାନେ ଫେରିନଥିବା ଜଣାପଡିଛି । ସେମାନେ ସେଠାରେ ଏକାଠି ହୋଇ ପାଟିତୁଣ୍ଡ କରୁଛନ୍ତି । ଆଗକୁ କିଛି ଅପ୍ରୀତିକର ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାବେଳେ ପୋଲିସ ପକ୍ଷରୁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ କଶ୍ମୀରରେ ଏହା କିଛି ନୂଆ କଥା ନୁହେଁ । ପ୍ରାୟତଃ ସୁରକ୍ଷାକର୍ମୀଙ୍କ ଅପରେସନ ସମୟରେ ସ୍ଥାନୀୟ ଯୁବକ ବାଧା ସୃଷ୍ଟି କରିଥାନ୍ତି । ଫଳରେ ଲୁଚି ରହିଥିବା ଆତଙ୍କୀ ଖସି ଯିବାର ସମର୍ଥ ହୁଅନ୍ତି ।