ଶ୍ରୀନଗର: ଦୁଇଦିନିଆ ଜାମ୍ମୁ-କାଶ୍ମୀର ଗସ୍ତରେ ଯାଇଥିବା ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଶନିବାର ପ୍ରଦେଶର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ଏହି ସମୟରେ ସେ ନିୟନ୍ତ୍ରଣ ରେଖା(ଏଲଓସି)ଠାରୁ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପାକ୍ ଅଧିକୃତ କାଶ୍ମୀର(ପିଓକେ) ର ସ୍ଥିତି ପରଖିଛନ୍ତି । ଏହି ଅବସରରେ ସେ ଭାରତ-ପାକିସ୍ତାନ ସୀମାରେ ନିୟୋଜିତ ସେନାର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି।
ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ପ୍ରଥମ ଥର ପାଇଁ କାଶ୍ମୀର ଗସ୍ତ କରିଥିବା ବିପିନ ରାୱତ ଘାଟିର ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହା ସହିତ ଏଲଓସିର ଅଗ୍ରୀମ ପୋଷ୍ଟ ପର୍ଯ୍ୟନ୍ତ ଯାଇ ସେ ସୀମାପାର ପାକିସ୍ତାନର ଦୁଃସାହାସ ତଥା ଅନୁପ୍ରବେଶ ରୋକିବା ପାଇଁ କରାଯାଇଥିବା ପ୍ରସ୍ତୁତି ବିଷୟରେ ପଚାରି ବୁଝିଛନ୍ତି । ଯବାନ ମାନଙ୍କର ନୈତିକତା ଓ କାର୍ଯ୍ୟଦକ୍ଷତାକୁ ଉଚ୍ଚ ପ୍ରଶଂସା କରିବା ସହ ଅନୁପ୍ରବେଶ ଉଦ୍ୟମ ବୃଦ୍ଧି ପାଉଥିବାରୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ରାୱତ ।