ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ଚିଠା ଗେଜେଟ୍ ବିଜ୍ଞପ୍ତିରେ ବହୁଳ ବ୍ୟବହୃତ 27ଟି କୀଟନାଶକ ଔଷଧ ବ୍ୟବହାରକୁ ନିଷେଧ କରାଯାଇଛି । ଏହି ନିଷେଧାଦେଶ ଉପରେ କୌଣସି ଆପତ୍ତି ଥିଲେ, ତାହା ଦାଖଲ କରିବା ଲାଗି ସଂପୃକ୍ତ ଶିଳ୍ପ ଏବଂ ପ୍ରସ୍ତୁତକାରୀ ସଂସ୍ଥାକୁ ମନ୍ତ୍ରାଳୟ ପକ୍ଷରୁ 45 ଦିନ ସମୟ ଦିଆଯାଇଛି । ସାଧାରଣତଃ ଧାନ, ପନିପରିବା, ଫଳ ଏବଂ ମସଲା ଚାଷରେ ଭାରତୀୟ କୃଷକମାନେ ଏହି ସବୁ କୀଟନାଶକର ବହୁଳ ବ୍ୟବହାର କରନ୍ତି । କେନ୍ଦ୍ର ସରକାର କହିଛନ୍ତି ଯେ, ଏହି ସବୁ କୀଟନାଶକରେ ମଣିଷ ଓ ଅନ୍ୟ ପ୍ରାଣୀମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି ।
ନିଷିଦ୍ଧ ତାଲିକାରେ ଅନ୍ୟ କୀଟନାଶକ ସହିତ ମନୋକ୍ରୋଟୋଫସ୍, କୁଇନାଲ୍ଫସ୍ ଏବଂ ଅକ୍ସିଫ୍ଲୋର୍ଫେନ୍ ଭଳି ଲୋକପ୍ରିୟ ଅଣୁ ଔଷଧ ସାମିଲ ହୋଇଛନ୍ତି । ଏଥିରୁ ମନୋକ୍ରୋଟୋଫସ୍ ନାମକ ଅତି ବିଷାକ୍ତ କୀଟନାଶକକୁ ବହୁ ଚାଷୀ ବ୍ୟବହାର କରିଥାଆନ୍ତି । ବାସ୍ତବରେ, ଏହି କୀଟନାଶକରେ ଏକ ଲାଲ ରଙ୍ଗର ଲେବଲ ଲାଗିଥାଏ, ଯାହାର ଅର୍ଥ, ଏହା ଅତି ମାତ୍ରାରେ ବିଷାକ୍ତ । ମନୋକ୍ରୋଟୋଫସ୍ ବିଷ ଯୋଗୁଁ ବହୁ ଚାଷୀ ପ୍ରାଣ ହରାଇଛନ୍ତି । ପକ୍ଷୀ, ସ୍ତନ୍ୟପାୟୀ ପ୍ରାଣୀ, ମାଛ ଏବଂ ଚିଙ୍ଗୁଡ଼ି ପାଇଁ ମଧ୍ୟ ଏହି କୀଟନାଶକ ଅତି ମାତ୍ରାରେ ବିଷାକ୍ତ । ବିଭିନ୍ନ ସ୍ଥାନୀୟ ବଜାରରେ ଉପଲବ୍ଧ ଅଧିକାଂଶ ପନିପରିବାରେ ମନୋକ୍ରୋଟୋଫସ୍ର ଅବଶେଷ ରହିଥିବା ଠାବ କରାଯାଇଛି । ଏହି କୀଟନାଶକର ବିଷାକ୍ତ ପ୍ରଭାବ ସଂପର୍କରେ ଏହାର ପ୍ରସ୍ତୁତକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ସରକାରଙ୍କୁ ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରାଯାଇ ନଥିଲା ।
ଧାନ, ମକା, ମସୁର ଡାଲି, ଆଖୁ, କପା, ନଡ଼ିଆ, କଫି ଏବଂ ଧନିଆ ଚାଷ କ୍ଷେତ୍ରରେ, ଅମଳ କରିବା ପୂର୍ବରୁ ଠିକ୍ କେଉଁ ସମୟରେ ଏହି କୀଟନାଶକ ପ୍ରୟୋଗ କରାଯିବ, ସେ ସଂପର୍କରେ ସ୍ପଷ୍ଟ ସୂଚନା ସମ୍ବଳିତ ପ୍ରସ୍ତାବ ଦିଆଯାଇ ନଥିଲା । ଏଭଳି ତ୍ରୁଟି ଯୋଗୁଁ ଚାଷୀମାନେ ଏହାକୁ ପ୍ରୟୋଗ କରିବାର ଠିକ୍ ପରେ ପରେ ଫସଲ ଅମଳ କରୁଥିଲେ ଏବଂ ଏହା ଫଳରେ ଖାଦ୍ୟରେ ରାସାୟନିକ ଅବଶେଷ ରହିଯାଉଥିଲା । ଏ ପ୍ରକାର ଖାଦ୍ୟ ଖାଉଥିବା ଲୋକେ ଗୁରୁତର ଅସୁସ୍ଥ ହୋଇପଡୁଥିଲେ । ପୂର୍ବରୁ ଏହି କୀଟନାଶକ ବ୍ୟବହାରକୁ 112ଟି ଦେଶ ନିଷିଦ୍ଧ କରିସାରିଛନ୍ତି । ଭାରତରେ ବହୁଳ ବ୍ୟବହୃତ ଆଉ ଏକ କୀଟନାଶକ ହେଲା କୁଇନାଲଫସ୍ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତୀବ୍ର ବିପଦ ମାନ୍ୟତାରେ ଏହାକୁ “ସାଧାରଣ ଭାବେ ବିପଜ୍ଜନକ” ପାହ୍ୟାରେ ରଖାଯାଇଛି । ଏହାକୁ ଏକ ହଳଦିଆ ଲେବଲ (ଅତି ବିଷାକ୍ତ) କୀଟନାଶକ ରୂପେ ଶ୍ରେଣୀଭୁକ୍ତ କରାଯାଇଛି । ଯଅ, ଲଙ୍କା ଏବଂ କପା ଚାଷରେ ଏହାର ବହୁଳ ସିଞ୍ଚନ କରାଯାଏ । ଏହାକୁ 30ଟି ଦେଶରେ ନିଷିଦ୍ଧ କରାଯାଇଛି । ୟୁରୋପୀୟ ଦେଶ ସମୂହ ଏହାକୁ କ୍ୟାଟେଗୋରୀ-1ରେ ତାଲିକାଭୁକ୍ତ କରିଛନ୍ତି । ଏହି କୀଟନାଶକ ଶ୍ବାସକ୍ରିୟାରେ ସମସ୍ୟା ସୃଷ୍ଟି କରାଏ ବୋଲି ପ୍ରମାଣିତ ହୋଇସାରିଛି । ବାସ୍ତବ କ୍ଷେତ୍ରରେ ଲଙ୍କା ଚାଷରେ ଲାଗୁଥିବା ପୋକମାନଙ୍କ ବିରୋଧରେ ଏହାର ଉପଯୋଗିତା ସଂପର୍କରେ କୁଇନାଲ୍ଫସ୍ର ବିଭିନ୍ନ ପ୍ରସ୍ତୁତକାରୀ ସଂସ୍ଥା ବିସ୍ତୃତ ସୂଚନା ପ୍ରଦାନ କରିନାହାନ୍ତି । ବଜାରରେ ସହଜରେ ମିଳିଯାଉଥିବା କାରଣରୁ ଭାରତୀୟ କୃଷକମାନେ ଏହାକୁ ବ୍ୟବହାର କରୁଛନ୍ତି ।
ସାଧାରଣ ବିଷାକ୍ତ ଗୁଳ୍ମନାଶକ ଭାବେ ଶ୍ରେଣୀଭୁକ୍ତ ହୋଇଥିଲେ ହେଁ ଅକ୍ସିଫ୍ଲୋର୍ଫେନ୍ କ୍ୟାନ୍ସରର ଏକ କାରଣ । ଏହାକୁ ପ୍ରଶ୍ବାସରେ ନେଲେ ଏହା ରକ୍ତହୀନତା ଏବଂ ଯକୃତ ନଷ୍ଟର କାରଣ ହୋଇଥାଏ । ଏହାର ପ୍ରୟୋଗକୁ 2ଟି ଦେଶ ନିଷିଦ୍ଧ କରିସାରିଛନ୍ତି । ଧାନ, ଚିନାବାଦାମ, ପିଆଜ ଏବଂ ଆଳୁ ଚାଷରେ ଏହାର କାର୍ଯ୍ୟକାରିତା ସଂପର୍କରେ ପ୍ରସ୍ତୁତକାରୀ ସଂସ୍ଥା ସୂଚନା ପ୍ରଦାନ କରିନାହାନ୍ତି । ଏହି ଗୁଳ୍ମନାଶକ ଔଷଧ ପରିବେଶକୁ ଦୂଷିତ କରିବା ସହିତ ଗଛ, ମାଛ ଏବଂ ଚିଙ୍ଗୁଡ଼ି ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଥାଏ । ଅନ୍ୟ 24ଟି କୀଟନାଶକର ମଧ୍ୟ ମଣିଷ ଓ ଅନ୍ୟ ପ୍ରାଣୀଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି ବୋଲି କେନ୍ଦ୍ର ସରକାର ତାଲିକାରେ ଉଲ୍ଲେଖ କରିଛନ୍ତି । ସଂସଦର ଉଭୟ ଗୃହରେ ଏହି ବିଲ୍ ଗୃହୀତ ହେବା ପରେ ଏହି ସମସ୍ତ କୀଟନାଶକକୁ ଗଚ୍ଛିତ ରଖିବା, ବିକ୍ରି, ପ୍ରସ୍ତୁତି ଏବଂ ପରିବହନ ଉପରେ ନିଷେଧାଦେଶ ଲାଗୁ ହେବ । ଚାଷୀମାନେ ଏସବୁ କୀଟନାଶକର ବ୍ୟବହାର ବନ୍ଦ କରିଦେବା ଭଲ ବୋଲି ଜଣେ କୃଷି ବିଜ୍ଞାନୀ ଈନାଡୁକୁ କହିଛନ୍ତି । ନିଷେଧାଦେଶ ତାଲିକାରେ ସାମିଲ ହୋଇଥିବା ଅନ୍ୟ ପ୍ରମୁଖ ରାସାୟନିକ ମିଶ୍ରଣଗୁଡ଼ିକ ହେଲା ପେଣ୍ଡିମେଥାଲିନ୍, ସଲ୍ଫୋସଲ୍ଫୁରାନ୍, ଥିଓଡିକାର୍ବ୍, ଥିଓଫାନେଟ୍ ମିଥାଇଲ୍, ଥିରମ, ଜିନେବ୍, ଜିରାମ୍, ମେଥୋମିଲ୍, ମାନ୍କୋଜେବ୍, ମାଲାଥିଅନ୍, ଡିଉରନ୍, ଡିନୋକ୍ୟାପ୍, ଡିମେଥୋଏଟ୍, ଡାଇକୋଫଲ, ଡେଲ୍ଟାମେଥ୍ରାଇନ୍, 2,4-ଡି, କ୍ଲୋରୋପାଇରିଫସ୍, କାର୍ବୋଫୁରାନ୍, କାର୍ବେନ୍ଡାଜିମ୍, କ୍ୟାପଟାନ୍, ବୁଟାକ୍ଲୋର୍, ବେନ୍ଫର୍କାର୍ବ୍, ଆଟ୍ରାଜାଇନ୍ ଏବଂ ଆସେଫେଟ୍ ।