ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୩୭କୁ ବୃଦ୍ଧି ପାଇଛି । ଏପରିସ୍ଥଳେ ପୁନେସ୍ଥିତ ସେନା ହସ୍ପିଟାଲରେ ନୀରିକ୍ଷଣରେ ରହିଥିବା ଜଣେ ସେନା ଅଧିକାରୀ କୋରୋନାରେ ସଂକ୍ରମିତ ଥିବା ସନ୍ଦେହ କରାଯାଉଛି ।
ସେନା ସୂତ୍ରରୁ ପ୍ରକାଶ ଯେ କିଛି ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖାଇବା ପରେ ପୁଣେର ଆର୍ମି ଇନଷ୍ଟିଚ୍ୟୁଟରେ ଜଣେ ଆର୍ମି ଅଫିସର ଏବଂ ଜଣେ ମହିଳାଙ୍କୁ ଆଇସୋଲେସନରେ ରଖାଯାଇଥିଲା । ଆବଶ୍ୟକ ହେଲେ ଉଭୟଙ୍କର କୋରୋନା ପରୀକ୍ଷା କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ, ମହାମାରୀ କୋରୋନା ଭାଇରସ୍ (COVID-19) ଅତି କମରେ 155 ଟି ଦେଶରେ ବ୍ୟାପିଛି । ବର୍ତ୍ତମାନ ଭାରତରେ ସଂକ୍ରମିତଙ୍କ ସଂଖ୍ୟା137କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏପର୍ଯ୍ୟନ୍ତ 13 ଜଣ ଲୋକ ସୁସ୍ଥ ହୋଇଛନ୍ତି ଓ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ମୁମ୍ବାଇରୁ କୋରୋନାରେ ଦେଶ ତୃତୀୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।