ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ କୋରୋନା ଆକ୍ରାନ୍ତ ହୋଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅମିତାଭ ବଚ୍ଚନଙ୍କୁ ରେସ୍ଫିରେଟରୀ ଆଇସୋଲେସନ ୟୁନିଟରେ ଭର୍ତ୍ତି କରାଯାଇଛି । ଅଭିଷେକ ମଧ୍ୟ ଆଇସୋଲେସନ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ଉଭୟଙ୍କ ଚିକିତ୍ସା ଜାରି ରହିଛି ।
ଅମିତାଭ ବଚ୍ଚନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଉଭୟ ଅମିତାଭ ଓ ଅଭିଷେକଙ୍କ ଠାରେ କୋରୋନାର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି । ସେମାନଙ୍କ ପ୍ରାରମ୍ଭିକ ଚିକିତ୍ସା ଆରମ୍ଭ ଜାରି ରହିଛି ।
ସେପଟେ,ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, ଉଭୟଙ୍କ ଠାରେ ସାମାନ୍ୟ କୋରୋନା ଲକ୍ଷଣ ସହ ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଛି । ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଏଥିପାଇଁ କୌଣସି ଚିନ୍ତାର ବିଷୟର ନାହିଁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଶନିବାର ବିଗ ବି ପ୍ରଥମେ କୋରୋନା ସଂକ୍ରମିତ ହୋଇଥିବା ନେଇ ପ୍ରଥମେ ଟ୍ବିଟରେ ଜଣାଇଥିଲେ । ପରିବାର ଓ ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ କୋଭିଡ ଟେଷ୍ଟ ପାଇଁ କହିଥିଲେ । ଏହା ପରେ ପୁଅ ଅଭିଷେକ ବଚ୍ଚନ ମଧ୍ୟ କୋରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ । ଆଶ୍ବସ୍ତିର ଖବର, ଜୟା ବଚ୍ଚନ ଓ ଐଶର୍ଯ୍ୟା ଓ ଝିଅ ଆରାଧ୍ୟଙ୍କ ଆଣ୍ଟିଜେନ ରିପୋର୍ଟ ନେଗେଟିଭ ରହିଛି ।