ଚେନ୍ନାଇ: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ପରେ ଏନେଇ ପ୍ରଥମଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦ ବିଲ୍ ଆଗତ ସମୟରେ ତାଙ୍କ ମନରେ ଥିବା ଭୟକୁ ପ୍ରକାଶ କରିଛନ୍ତି ଶାହା । ବିଲ୍ଟି ଉଚ୍ଚ ସଦନରେ ପାରିତ ହେବାନେଇ ତାଙ୍କ ମନରେ ଭୟଥିଲା ସତ କିନ୍ତୁ ଗୃହମନ୍ତ୍ରୀ ହିସାବରେ ଧାରା ୩୭୦ ଉଚ୍ଛେଦ କରିବାର ଆବଶ୍ୟକତା ଥିଲା ବୋଲି ଶାହା କହିଛନ୍ତି ।
ରବିବାର ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁଙ୍କ ଉପରେ ରଚିତ ଏକ ପୁସ୍ତକ ଉନ୍ମୋଚନ ଅବସରରେ ଶାହା ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟସଭାରେ ଏନଡିଏ ପାଖରେ ସଂଖ୍ୟା ଗରିଷ୍ଠତା ନ ଥିଲେ ମଧ୍ୟ ଏହାକୁ ପ୍ରଥମେ ସେଠାରେ ଆଗତ କରାଇବା ପାଇଁ ମୁଁ ଯୋଜନା କରିଥିଲି । ଏହାପରେ ବିଲ୍କୁ ଲୋକସଭାରେ ଆଗତ କରାଇବା ପାଇଁ ଚାହୁଁଥିଲି ।
ଶାହା ବିଧାୟକ ଥିବା ବେଳରୁ ହିଁ ସେ ଭାବୁଥିଲେ, ବହୁ ଆଗରୁ ଧାରା ୩୭୦ କୁ ଉଚ୍ଛେଦ କରିବା ଉଚିତ ଥିଲା। ତେଣୁ ଗୃହମନ୍ତ୍ରୀ ଭାବେ ଧାରା ୩୭୦ ଉଚ୍ଛେଦର ପରିଣାମ ବିଷୟରେ ତାଙ୍କ ମନରେ କୌଣସି ଭ୍ରାନ୍ତି ନ ଥିବା କହିଛନ୍ତି ଅମିତ ଶାହା । 370 ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦର ଅବସାନ ଘଟିବ ଏବଂ ସ୍ଥାନୀୟ ଲୋକଙ୍କ ବିକାଶ ହେବ ବୋଲି ସେ କହିଛନ୍ତି।