ଲକ୍ଷ୍ନୌ: ‘ମେ 23ରେ ପ୍ରକାଶ ପାଇବ ସାଧାରଣ ନିର୍ବାଚନ ଫଳାଫଳ । ଏହାପରେ କଂଗ୍ରେସ ବସ୍ତାନୀ ବାନ୍ଧିବ ଏବଂ ଉତ୍ତର ପ୍ରଦେଶ ଛାଡ଼ିବାକୁ ବାଧ୍ୟ ହେବ । ଆମେଠି ଏବଂ ରାୟବରେଲିରେ ଦଳ ହାରିବା ନିଶ୍ଚିତ ।’ ଆଜି ରାହୁଲଙ୍କ ନାମାଙ୍କନ ପରେ ଏଭଳି କହିଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ।
ସେ କହିଛନ୍ତି ଯେ ୟୁପିରେ କଂଗ୍ରେସର ପ୍ରଭାବ କମିଛି । ଯେହେତୁ ସପା-ବସପା-ଆରଏଲଡି ମେଣ୍ଟ ଆମେଠି ଏବି ରାୟବରେଲିରେ ପ୍ରାର୍ଥୀ ଦେଇନି ତେଣୁ ଏହା ଦର୍ଶାଉଛି କଂଗ୍ରେସ ମାତ୍ର 2ଟି ସିଟରେ ସୀମିତ ରହିଯାଇଛି । ଅନ୍ୟପଟେ ମେଣ୍ଟର ବରିଷ୍ଠ ନେତା ଲଢ଼ୁଥିବା 7ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଦେଉନାହିଁ । ତେଣୁ ସେମାନେ ଏଥର ନିଜ ସ୍ଥିତି ପରଖି ସାରିଲେଣି ବୋଲି ମୌର୍ଯ୍ୟ କହିଛନ୍ତି ।
ୟୁପି ସାରା ପଦ୍ମ ଫୁଟିବ ଏବଂ ପୁଣି ଦଳ ଐତିହାସିକ ବିଜୟ ପାଇବ ବୋଲି ମୌର୍ଯ୍ୟ ଦମ୍ଭୋକ୍ତି ବାଢ଼ିଛନ୍ତି । ଏଥିସହ କଂଗ୍ରେସ ବସ୍ତାନୀ ବାନ୍ଧିବାକୁ ବାଧ୍ୟ ହେବ ବୋଲି ସେ ଜଣାଇଛନ୍ତି ।