ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ହୋଇଥିବା ହିଂସାତ୍ମକ ଆନ୍ଦୋଳନ ଏବଂ ପୋଡାଜଳା ମାମଲାରେ ସାମିଲ ଥିବା 53 ଅଭିଯୁକ୍ତଙ୍କ ଫଟୋ ଏବଂ ପୋଷ୍ଟର କିଛି ଦିନ ତଳେ ରାସ୍ତା କଡରେ ଲଗାଯାଇଥିଲା । ଯାହାକୁ ନେଇ କ୍ଷୁବ୍ଧ ପ୍ରକାଶ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏହି ମାମଲାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଗୋବିନ୍ଦ ମାଥୁରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଲକ୍ଷ୍ନୌ ଡିଏମ ଏବଂ ଡିଭିଜନାଲ ପୋଲିସ କମିଶନରକୁ ତଲବ କରିଛନ୍ତି । ଆଇନ୍ର କେଉଁ ପ୍ରାବଧାନ ଅନୁଯାୟୀ ରାସ୍ତା କଡରେ ଏଭଳି ପୋଷ୍ଟର ଲଗାଗଲା ବୋଲି ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ ।
ତେବେ ମୁଖ୍ୟ ବିଚାରପତି ଗୋବିନ୍ଦ ମାଥୁର ଏହି ମାମଲାର ଶୁଣାଣି ରବିବାର ଅର୍ଥାତ ଛୁଟି ଦିନରେ କରିବାକୁ ନିଷ୍ପତ୍ତି ନେଇଥିଲେ । ଶୁଣାଣି ଆଜି ସକାଳୁ 10ଟା ସମୟରେ ହେବାର ଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଆଡିଶନାଲ ସିଲିସିଟର ଜେନେରାଲ ପକ୍ଷ ରଖିବେ । ଅନ୍ୟପକ୍ଷରେ ପୋଲିସ କମିଶନରଙ୍କ ତରଫରୁ ଡିସିପି ନର୍ଥ ଏବଂ ଡିଏମଙ୍କ ତରଫରୁ ଏଡିଏମ ପକ୍ଷ ରଖିବେ ।
ସୂଚନାଯୋଗ୍ୟ ଯେ, ସିଏଏ ବିରୋଧୀ ହିଂସାତ୍ମକ ଆନ୍ଦୋଳନ ଏବଂ ପୋଡାଜଳାରେ ସାମିଲ ଥିବା ଅଭିଯୁକ୍ତଙ୍କ ଫଟୋଥିବା ହୋର୍ଡିଂ ଲକ୍ଷ୍ନୌର ହଜରତଗଞ୍ଜ ଅଞ୍ଚଳରେ ଲଗାଯାଇଛି । ଏଥିରେ ହିଂସା ସମୟରେ ହୋଇଥିବା ସାର୍ବଜନୀନ ଏବଂ ବ୍ୟକ୍ତିଗତ ସମ୍ପତ୍ତିର କ୍ଷୟକ୍ଷତିର ବିବରଣୀ ଦିଆଯାଇଛି । ଏହା ସହିତ ସମସ୍ତ ଅଭିଯୁକ୍ତଙ୍କଠାରୁ କ୍ଷତିପୂରଣ ଆଦାୟ କରାଯିବ ବୋଲି ଏଥିରେ ଲେଖାଯାଇଥିଲା ।
@ANI