ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି(ଆପ)କୁ ଲାଗି ପାରେ ଝଟକା । କାରଣ ଏଥର ଆପ୍କୁ ନୁହେଁ ବରଂ ଦଳର ନେତ୍ରୀ ଆଲକା ଲାମ୍ବାଙ୍କୁ ଆପଣାଇବ କଂଗ୍ରେସ । ସେପଟେ ଆଲକାଙ୍କର ମଧ୍ୟ କଂଗ୍ରେସ ସହ ସମ୍ପର୍କ ପୁରୁଣା । ଏନେଇ ଆଲକା ସ୍ବଂୟ ଏକ ବଡ ବୟାନ ଦେଇଛନ୍ତି । ବର୍ତ୍ତମାନ ସେ ଚାନ୍ଦିନୀ ଚୌକ ବିଧାନସଭା ଆସନରୁ ଆପର ବିଧାୟକ ଅଛନ୍ତି ।
କଂଗ୍ରେସ ଯଦି ତାଙ୍କୁ ସୁଯୋଗ ଦେବ ସେ ପୁରୁଣା ଦଳରେ ଫେରିବାକୁ ରାଜି ଅଛନ୍ତି ବୋଲି ଶୁକ୍ରବାର ଲାମ୍ବା କହିଛନ୍ତି । ଅନ୍ୟପକ୍ଷେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସହ ମେଣ୍ଟ କରିବାକୁ ସଙ୍କେତ ଦେଇଥିଲେ । କିନ୍ତୁ କଂଗ୍ରେସ ଏଥିପାଇଁ ରାଜି ନଥିଲା । ଯାହାପରେ ଖବର ଆସୁଛି ଦଳର ମତ ୨ ଭାଗରେ ବିଭାଜିତ ହୋଇଯାଇଛି ।
ଲାମ୍ବା ଆହୁରି କହିଛନ୍ତି ଯେ ଆପ କେବଳ ଦିଲ୍ଲୀ ନୁହେଁ ବରଂ ପଞ୍ଜାବ ଓ ହରିୟାଣାରେ କଂଗ୍ରେସ ସହ ମେଣ୍ଟ କରିବା କଥା କହି ନିଜର ଦୁର୍ବଳତାକୁ ସାମ୍ନାକୁ ଆଣିଛି । ଏଥିରୁ ସ୍ପଷ୍ଟ ହେଉଛି ବିଜେପିକୁ ପରାଜିତ କରିବା ପାଇଁ ଆପ କଂଗ୍ରେସ ସହ ହାତ ମିଶାଇବାକୁ ଚାହୁଛି । ମୁଁ ସର୍ବଦା ବିଜେପି ବିଚାରଧାରକୁ ବିରୋଧ କରି ଆସିଛି । ଯଦି ଆପ କଂଗ୍ରେସ ସହ ହାତ ମିଶାଉଛି ତେବେ ମୋର କଂଗ୍ରେସରେ ଯୋଗଦେବାରେ କୌଣସି ଭୁଲ ରହିବନି ବୋଲି ସେ କହିଛନ୍ତି ।
ଆଲକା ଲାମ୍ବା ୧୯୯୦ ଦଶକରେ କଂଗ୍ରେସର ଛାତ୍ର ସଙ୍ଗଠନ ଏନଏସୟୁଆଇରୁ ନିଜ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ୧୯୯୫ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରସଂଘର ଅଧ୍ୟକ୍ଷା ମଧ୍ୟ ହୋଇଥିଲେ । ଏହାସହ ସେ ୨୦୦୨ରେ ସର୍ବ ଭାରତୀୟ ମହିଳା କଂଗ୍ରେସର ଜେନେରାଲ ମହାସଚିବ ମଧ୍ୟ କରାଯାଇଥିଲା ।