ଲକ୍ଷ୍ନୌ: ବିହାର ନିର୍ବାଚନ ପ୍ରଚାର ପାଇଁ ଗୃହମନ୍ତ୍ରୀ ଅମିତ ଶାହା ରବିବାର ଏକ ଭର୍ଚୁଆଲ ରାଲି କରିଛନ୍ତି । ଏହି ରାଲି ମାଧ୍ୟମରେ ଶାହା ଗୋଟିଏ ପଟେ ମୋଦି ସରକାରଙ୍କ ସଫଳତାକୁ ବଖାଣିଥିବାବେଳେ, ଅନ୍ୟପଟେ ବିରୋଧୀଙ୍କୁ ଆକ୍ରମଣ କରିଥିଲେ। ଏହା ବ୍ୟତୀତ ନୀତିଶ କୁମାରଙ୍କ ନେତୃତ୍ୱରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ବିହାରରେ ସରକାର ଗଠନ କରିବାକୁ ଶାହା ଦାବି କରିଛନ୍ତି । ବିଜେପିର ଏହି ରାଲି ଉପରେ ସମସ୍ତ ବିରୋଧୀ ଦଳ ଏହାକୁ ଟାର୍ଗେଟ କରିଛନ୍ତି । ସେହିଭଳି ସପା ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଟଙ୍କା ପ୍ରଦର୍ଶନ ଏବଂ ଏହାର ବ୍ୟବହାର କରି ବିରୋଧୀ ଦଳର ମନୋବଳ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି।
ସୋମବାର ଅଖିଳେଶ ଟ୍ୱିଟ କରିଛନ୍ତି ଯେ, ଝାଡଖଣ୍ଡରେ ନିର୍ବାଚନରେ ଅତି ଦୟନୀୟ ଭାବେ ହାରିଥିବା ବିଜେପି ମଧ୍ୟ ବିହାରରେ ଜନ ବିରୋଧୀ ଆଭିମୁଖ୍ୟ ଉପରେ ବିଚାର କରୁଛି, ତେଣୁ 150 କୋଟି ଟଙ୍କାର 'ଭର୍ଚୁଆଲ ରାଲି' କରି ନିଜର ଧନ ଓ ଶକ୍ତି ପ୍ରଦର୍ଶନ କରି ବିରୋଧୀଙ୍କ ମନୋବଳ ଭାଙ୍ଗିବାକୁ ଚାହୁଁଛି ।
ଏହି ରାଲି ମାଧ୍ୟମରେ ଅମିତ ଶାହା ମଧ୍ୟ ନିଜ ଶୈଳୀରେ ଆରଜେଡି ଉପରେ ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ, ସରକାର 2.5 କୋଟି ଲୋକଙ୍କୁ ଘର ଦେଇଛନ୍ତି, 10 କୋଟି ଘରେ ଶୌଚାଳୟ ତିଆରି କରିଛନ୍ତି । ଆୟୁଷ୍ମାନ ମାଧ୍ୟମରେ କୋଟି କୋଟି ଲୋକ ଚିକିତ୍ସା ପାଇଲେ । ଶକ୍ତି କ୍ଷେତ୍ରରେ ହୋଇଥିବା ସଫଳତା ବିଷୟରେ ସେ କହିଛନ୍ତି ଯେ, ପୂର୍ବରୁ ଲଣ୍ଠନ ଜଳେଇବାକୁ ପଡୁଥିଲା, ବର୍ତ୍ତମାନ ଏହି ଲଣ୍ଠନର ଯୁଗ ଚାଲିଯାଇଛି । ଏବେ ହେଉଛି ଏଲଇଡି ବଲବର ଯୁଗ ।