ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂତନ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଏୟାର ମାର୍ଶାଲ୍ ରାକେଶ କୁମାର ସିଂହ ଭଦୋରିଆ । କାର୍ଯ୍ୟଭାର ଗ୍ରହଣ କରିବା ପରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ଏବଂ ଚୀନକୁ ଚେତାବନୀ ଦେଇଛନ୍ତି ସେ । ଆବଶ୍ୟକ ପଡିଲେ ବାୟୁସେନା ପୁଣିଥରେ ବାଲାକୋଟ ଭଳି ଏୟାରଷ୍ଟ୍ରାଇକ କରିବ ବୋଲି ଜଣାଇ ଦେଇଛନ୍ତି ।
ସୋମବାର ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଗଣାମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି,‘ବାୟୁସେନା ସମସ୍ତ ପ୍ରକାର ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି । ଆବଶ୍ୟକ ପଡିଲେ ପୁଣିଥରେ ବାଲକୋଟ ଭଳି ଅପରେସନ କରାଯିବ । ରାଫେଲ ବାୟୁସେନା ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବ । ଏହା ଦ୍ବାରା ଆମର ଶକ୍ତି ବଢିଛି । ରାଫେଲ ପାକିସ୍ତାନ ଏବଂ ଚୀନ ଉପରେ ଭାରି ପଡିବ ।
ସେହିପରି ପାକିସ୍ତାନ ପଟୁ ଦିଆଯାଉଥିବା ପରମାଣୁ ଧମକ ଉପରେ ମତ ରଖି ନୂତନ ବାୟୁସେନା ମୁଖ୍ୟ କହିଛନ୍ତି, ପରମାଣୁ ଆକ୍ରମଣକୁ ନେଇ ସମସ୍ତ ଦେଶର ଭିନ୍ନ ଭିନ୍ନ ଦୃଷ୍ଟିକୋଣ ଥାଏ । ଏହାକୁ ନେଇ ଆମର ମଧ୍ୟ ନିଜସ୍ବ ଦୃଷ୍ଟିକୋଣ ରହିଛି । ଆମକୁ ଯାହା କରିବାର ଅଛି ଆମେ ତାହା କରିବୁ ।