ପାଟନା: ନେତାଙ୍କ ଭାଷାରେ ରହୁନାହିଁ ସଞ୍ଜମତା । ଦେଶରେ ଧର୍ମ ଆଧାରରେ ହିଂସା ସୃଷ୍ଟି କରିବାକୁ ଉସୁକାଉଛନ୍ତି ଏଆଇଏମଆଇଏମ ନେତା । ମଞ୍ଚରେ ଖୁଲମଖୋଲା ହିନ୍ଦୁ-ମୁସଲିମ ସମ୍ପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ପ୍ରବର୍ତ୍ତାଇଛନ୍ତି ଓବେସୀଙ୍କ ପାର୍ଟିର ନେତା ବାରିସ ପଠାନ । ମୁସଲିମ ନେତାଙ୍କ ଏଭଳି ବୟାନ ନିଜ ଉପରେ ହିଁ ଭାରି ପଡ଼ିଛି । ଖୋଦ ନିଜ ସମ୍ପ୍ରଦାୟର ଲୋକେ ବାରିସଙ୍କର କୁଶପୁତ୍ତଳିକା ଦାହ କରିବା ସହ ଏଭଳି ବୟାନକୁ ଦୃଢ ନିନ୍ଦା କରିଛନ୍ତି ।
ମୁଜାଫରନଗରର ‘ଏକ-ହେ-ହିନ୍ଦୁସ୍ତାନ’ ସାମାଜିକ ସଂଗଠନ ପକ୍ଷରୁ ଏଆଇଏମଆଇଏମ ନେତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । ସଂଗଠନର କାର୍ଯ୍ୟକର୍ତ୍ତା ଏଭଳି ସାମ୍ପ୍ରଦାୟିକ ହିଂସା ସୃଷ୍ଟିକାରୀ ବୟାନକୁ ବିରୋଧ କରିବା ସହ କଠୋର ନିନ୍ଦା କରାଯାଇଛି । ଏହା ସହିତ 11 ଲକ୍ଷ ଟଙ୍କାର ଜରିମନା ବାରିସ ପଠାନଙ୍କ ଠାରୁ ଆଦାୟ କରାଯିବାକୁ ଦାବି କରିଛନ୍ତି ।
ଗତ ଫେବୃୟାରୀ 15 ତାରିଖରେ କର୍ଣ୍ଣାଟକର ଗୁରବର୍ଗରେ ନାଗରିକତା ସଂଶୋଧନ ଆଇନ ବିରୋଧି ଆନ୍ଦୋଳନରେ ଯୋଗଦେଇଥିଲେ ବାରିସ ପଠାନ । ଏଠାରେ ଆନ୍ଦୋଳନକାରୀଙ୍କୁ ବାର୍ତ୍ତା ରଖିବାକୁ ଯାଇ ଭାଷଣ ଦେଇଥିଲେ ପଠାନ । ସଭା ମଞ୍ଚରେ ସେ କହିଥିଲେ, ମୁସଲିମଙ୍କୁ ସରକାର ଦେଶରୁ ବିତାଡ଼ିତ କରିବେ ତ, 15 କୋଟି ମୁସଲିମ 100 କୋଟି ହିନ୍ଦୁଙ୍କ ଉପରେ ଭାରି ପଡ଼ିବେ ।