ଆଗ୍ରା: ଆଗ୍ରା ବସ ହାଇଜାକ ଘଟଣାରେ ପୋଲିସର ଏନକାଉଣ୍ଟର । ମୁଖ୍ୟ ଅଭିଯୁକ୍ତ ଗୁରୁତର ଆହତ । ଡାକ୍ତରଖାନାରେ ଭର୍ତ୍ତି ।
ଫିରୋଜାବାଦରେ ଏହି ଏନକାଉଣ୍ଟର ହୋଇଥିବା ସୂଚନା । ରାସ୍ତାରେ ଯାଞ୍ଚ ସମୟରେ ହୋଇଛି ଏନକାଉଣ୍ଟର । ତେବେ ଏହି ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତର ଗୋଡରେ ଗୁଳି ବାଜିଛି । ଅନ୍ୟ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
ଗୁରୁତର ଆହତ ହୋଇଥିବା ଅଭିଯୁକ୍ତ ଜଣଙ୍କ ପ୍ରଦୀପ ଗୁପ୍ତା ବୋଲି ସୂଚନା ମିଳୁଛି । ତେବେ ଏନକାଉଣ୍ଟରରେ ପ୍ରଦୀପର ଗୋଡରେ ଗୁଳି ବାଜିଥିବାବେଳେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଡାକ୍ତରଖାନାରେ ପୋଲିସ ଅଧିକାରୀ ଓ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଅଧିକ ପଚରାଉଚରା ଜାରି ରଖିଛନ୍ତି । ଅନ୍ୟପଟେ ଅନ୍ୟ ଅଭିଯୁକ୍ତମାନଙ୍କୁ ପୋଲିସର ଖୋଜିବା ଜାରି ରହିଛି ।
ସୂଚନାଥାଉକି, ମଧ୍ୟପ୍ରଦେଶର ବସ ଚାଳକ ରମେଶ ସ୍ଲିପର ବସରେ 34 ଜଣ ଯାତ୍ରୀଙ୍କୁ ନେଇ ମଧ୍ୟପ୍ରଦେଶରୁ ଗୁରୁଗ୍ରାମ ଯାତ୍ରା କରିଥିଲେ । ମଙ୍ଗଳବାର ରାତି 10.30ରେ ଦକ୍ଷିଣୀ ବାଇପାସର ରାୟଭା ଟୋଲ ପ୍ଲାଜା ନିକଟରେ ବସ ପହଞ୍ଚିବା ପରେ ସେଠାରେ ଦୁଇଟି କାରରେ 8ରୁ 9 ଜଣ ଯୁବକ ବସକୁ ଅଟକାଇଥିଲେ । ନିଜକୁ ଫାଇନାନ୍ସ କର୍ମଚାରୀ କହି ବସରେ ଚଢିଥିଲେ । ପରେ ଡ୍ରାଇଭରକୁ ଓହ୍ଲାଇଦେଇ ବସକୁ ହାଇଜାକ କରିଥିଲେ ଦୁର୍ବୃତ୍ତ ।
ପରେ ବସକୁ ଇଟାବାରୁ ଠାବ କରାଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ସେମାନଙ୍କୁ ଛାଡି ଦିଆଯାଇଥିଲା ।