ପଣାଜି: ସଙ୍କଟରେ ଗୋଆରେ ବିଜେପିର ମୁଖ୍ୟମନ୍ତ୍ରୀ ଆସନ। ଦିର୍ଘଦିନରୁ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ବାସ୍ଯବସ୍ଥା ବିଗିଡିବାରେ ଲାଗିଛି । ଆଉ ଏହାର ସୁଯୋଗ ନେଇ ଗୋଆରେ କଂଗ୍ରେସ ସରକାର ଗଢିବାକୁ ପ୍ରୟାସ ଆରମ୍ଭ କରିଥିବା ବେଳେ ବିଜେପି ମଧ୍ୟ ନିଜ ଗାଦି ସୁରକ୍ଷିତ ରଖିବାକୁ ନୂଆ ମୁହଁ ଖୋଜା ଆରମ୍ଭ କରିଛି ।
ଏଭଳି ପରିସ୍ଥିତିରେ ସରକାର ଗଠନ କରିବାକୁ ଗୋଆ ରାଜ୍ୟପାଳ ମୃଦୁଳା ସିଂହଙ୍କୁ ପତ୍ର ଲେଖିଛି କଂଗ୍ରେସ । ଅନ୍ୟପଟେ ଶାସକ ଦଳ ବିଜେପି ପକ୍ଷରୁ ମଧ୍ୟ ନିଜ ଆସନକୁ ସୁରକ୍ଷିତ ରଖିବାକୁ ନୂଆ ମୁଖ୍ୟମନ୍ତ୍ରୀ ଖୋଜା ଆରମ୍ଭ କରିଛି ।
ବିଜେପି ବିଧାୟକମାନେ ଶନିବାର ସନ୍ଧ୍ୟାରେ ବୈଠକରେ ସ୍ପଷ୍ଟ କରିଛନ୍ତି ଯେ, ନୂଆ ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ମଧ୍ୟରୁ କେହି ହେବା ଉଚିତ । କେନ୍ଦ୍ରୀୟ ନେତୃତ୍ବ ବିଧାୟକଙ୍କ ସହ ଆଲୋଚନା କରିବା ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ନିଷ୍ପତ୍ତି ନିଆଯିବ । ଏଥିପାଇଁ ଏକ ପ୍ରତିନିଧି ଦଳ ଗୋଆ ଗସ୍ତ କରିବେ ।
କଂଗ୍ରେସର ଦାବି:
ଗୋଆ ବିଧାନସଭାରେ ମୋଟ ୪୦ ସିଟ ରହିଛି । ବିଜେପି ବିଧାୟକ ଫ୍ରାନସିସ୍ ଡିସୌଜାଙ୍କ ନିଧନ, କଂଗ୍ରେସ ସୁଭାଷ ଶିରୋଦକର ଓ ଦୟାନନ୍ଦ ସୋପ୍ତେ ଇସ୍ତଫା ଦେବା ପରେ ରାଜ୍ୟରେ ଏବେ ୩୭ ବିଧାୟକ ହିଁ ରହିଛନ୍ତି । ସୋପ୍ତେ ଓ ଶିରୋଦକର ବିଜେପିରେ ସାମିଲ ହୋଇ ସାରିଛନ୍ତି । ଏହି କାରଣରୁ ଏବେ କଂଗ୍ରେସରେ ୧୬ ପରିବର୍ତ୍ତେ ୧୪ ବିଧାୟକ ଅଛନ୍ତି । ଅନ୍ୟପଟେ ବିଜେପି ପାଖରେ ୧୩ ବିଧାୟକ ଅଛନ୍ତି । ମାତ୍ର ବିଜେପିକୁ ଗୋଆ ଫରଓ୍ଵାର୍ଡ ପାର୍ଟିର ୩, ମହାରାଷ୍ଟ୍ରବାଦୀ ଗୋମାନ୍ତକ ପାର୍ଟିର ୩ ଓ ଏନସିପିର ଜଣେ ବିଧାୟକଙ୍କ ବ୍ୟତୀତ ଜଣେ ସ୍ବାଧୀନ ବିଧାୟକଙ୍କ ସମର୍ଥନ ରହିଛି । ସେହିପରି ବିଜେପି ପାଖରେ ମୋଟ ୨୧ ବିଧାୟକଙ୍କ ସମର୍ଥନ ରହିଛି ।
ଅନ୍ୟପଟେ ୨୦୧୮ ଫେବୃଆରୀରେ ପାରିକର ଅଗ୍ନାଶେୟ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି । ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।