ନୂଆଦିଲ୍ଲୀ: ଗାନ୍ଧୀ ଓ ଗଡସେଙ୍କୁ ନେଇ ଚାଲିଛି ବାଦ ବିବାଦ । ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ସାଧ୍ବୀ ପ୍ରଜ୍ଞା ଦେଶଭକ୍ତ କହିଥିବା ବେଳେ ବିଜେପି ମୁଖପାତ୍ର ଅନୀଲ ସୌମିତ୍ର ମହାତ୍ମା ଗାନ୍ଧୀଙ୍କୁ ପାକିସ୍ତାନର ଜାତୀୟ ପିତା ବୋଲି କହିଛନ୍ତି । ତେବେ ସୋସିଆଲ ମିଡିଆରେ ଏପରି ମନ୍ତବ୍ୟ ଦେବା ଅନୀଲଙ୍କୁ ମହଙ୍ଗା ପଡିଛି । ମୁଖପାତ୍ର ଅନୀଲ ସୌମିତ୍ରଙ୍କୁ ଦଳରୁ ନିଲମ୍ବିତ କରିଛି ବିଜେପି ।
ଅନୀଲଙ୍କୁ ଦଳ ପ୍ରାଥମିକ ସଦସ୍ୟରୁ ନିଲମ୍ବିତ କରିଛି । ସୂଚନା ଥାଉକି, ଫେସବୁକର ଏକ ପୋଷ୍ଟରେ ମହାତ୍ମା ଗାନ୍ଧୀଙ୍କୁ ସେ ପାକିସ୍ତାନର ପିତା ବୋଲି କହିଥିଲେ । ସେପଟେ ପର୍ଯ୍ୟାୟ କ୍ରମେ ବିଜେପି ନେତାଙ୍କ ବିବାଦୀୟ ବୟାନ ପରେ ସ୍ପଷ୍ଟୋକ୍ତି ରଖିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହ । ଏହା ସେମାନଙ୍କର ବ୍ୟକ୍ତିଗତ ବୟାନ । ଏଥିପାଇଁ ବିଜେପି ଦାୟୀ ନୁହେଁ ବୋଲି କହିଛନ୍ତି ଶାହ ।