ଥିରୁଅନନ୍ତପୁରମ୍: କେରଳର ପାଲକ୍କଡ ଜିଲ୍ଲାରେ ଗର୍ଭବତୀ ହାତୀ ମୃତ୍ୟୁ ଘଟଣାର ନୂଆ ମୋଡ଼ । ହାତୀଟି ଏକ ନଡ଼ିଆରେ ଭର୍ତ୍ତି ହୋଇଥିବା ବାଣ ଖାଇଥିଲା ବୋଲି ମାନ୍ନାକଡ ଡିଭିଜନାଲ ଜଙ୍ଗଲ ଅଧିକାରୀ ସୁନୀଲ କୁମାର କହିଛନ୍ତି । ପ୍ରମାଣ ସଂଗ୍ରହ ପାଇଁ ଅଧିକାରୀମାନେ ଗିରଫ ବ୍ୟକ୍ତି ୱିଲସନଙ୍କୁ ସେହି ସ୍ଥାନକୁ ନେଇ ଯାଇଥିଲେ । ସେ ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ବାଣ ତିଆରେରେ ସାହାଯ୍ୟ କରିଥିଲା ।
ବର୍ତ୍ତମାନ ସୁଦ୍ଧା ଘଟଣାରେ ଜଡିତ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ସେମାନଙ୍କୁ ଖୁବଶୀଘ୍ର ଧରାଯିବ । ବିସ୍ଫୋରକ ସାମଗ୍ରୀଗୁଡିକ ଫଳ କିମ୍ବା ପଶୁ ଚର୍ବିରେ ବଣୁଆ ଜନ୍ତୁଙ୍କୁ ଭୟ ଦେଖାଇବା ଉଦ୍ଦେଶ୍ୟରେ ରଖାଯାଇଥାଏ । ତେବେ ସେଦିନ ନଡିଆ ଭିତରେ ବାଣ ଭର୍ତ୍ତି କରି ରଖାଯାଇଥିଲା ।
ଅଧିକାରୀଙ୍କ କହିବାନୁସାରେ, ଭୁଲବଶତଃ ଖାଦ୍ୟ ଭାବି ହାତୀଟି ନଡ଼ିଆକୁ ଭାଙ୍ଗି ଖାଇଦେଇଥିଲା । ଫଳରେ ବାଣ ହାତୀର ମୁହଁରେ ଫୁଟିଯାଇଥିଲା । ଗୁରୁତର ଅବସ୍ଥାରେ ସେ ନଦୀରେ 3 ଦିନ ଧରି ପଶି ରହିଥିଲା । କୌଣସି ଖାଦ୍ୟ ବା ପାଣି ପାଟିକୁ ନେଇ ପାରୁନଥିଲା । ଶେଷରେ ଯନ୍ତ୍ରଣା ଅଧିକ ହେବାରୁ ସେ ପ୍ରାଣ ହରାଇଥିଲା । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଗୁରୁବାର ଦିନ ଟ୍ୱିଟ୍ରେ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଶୀଘ୍ର ଦୋଷୀକୁ ଦଣ୍ଡ ମିଳିବ ।