ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆୟୋଜିତ 13 ତମ ଏରୋ ଇଣ୍ଡିଆ ଶୋ’ର ଆଜି ଶେଷ ଦିନ । ଏସିଆର ସର୍ବବୃହତ ଏରୋ ଇଣ୍ଡିଆ ଶୋ’ର ସାକ୍ଷୀ ରହିଲା ସାରା ବିଶ୍ବ । ଭାରତୀୟ ବାୟୁସେନାର ଅତ୍ୟାଧୁନିକ ଯୁଦ୍ଧ ବିମାନର ଶକ୍ତି ପ୍ରଦର୍ଶନ । ମଝି ଆକାଶରେ ଆକର୍ଷଣୀୟ କଳାକୌଶଳ । ତେଜସଠୁ ସୁଖୋଇ, ରାଫେଲରୁ ଚିନୁକ୍ ଦେଖାଇଛନ୍ତି ନିଜର ପରାକ୍ରମ । ଏହାସହ ଭବିଷ୍ୟତ ଯୁଦ୍ଧକୁ ନଜରରେ ରଖି ମର୍ଡନ୍ ଓ୍ବିପନ୍ ପ୍ରଦର୍ଶନ କରିଛି ଡିଆରଡିଓ । ପଞ୍ଚମ ପିଢିର ଯୁଦ୍ଧବିମାନଠୁ ଆରମ୍ଭ କରି କିଲର ଡ୍ରୋନ୍...ଲାଇଟ୍ କମ୍ବାଟ୍ ହେଲିକପ୍ଟରର ପ୍ରଥମ ଝଲକ ବିଶ୍ବ ସମ୍ମୁଖକୁ ଆଣିଛି ଡିଆରଡିଓ । ଏପରିକି ଏରୋ ଇଣ୍ଡିଆ ଶୋର ପ୍ରଥମ ଦିନରେ 83 ତେଜସ ଜେଟ କ୍ରୟ ନେଇ ହାଲ ସହିତ ଭାରତୀୟ ବାୟୁସେନାର ହୋଇଥିଲା ଚୁକ୍ତି । ଏହା ବ୍ୟତୀତ ସାରଙ୍ଗ ଓ ସୂର୍ଯ୍ୟକିରଣ ହେଲିକପ୍ଟର ଟିମ ଏକା ସହ ଦେଖାଇଛନ୍ତି ଦମ ।
ଏରୋ ଇଣ୍ଡିଆ 2021: ଆକାଶରେ ଆତ୍ମନିର୍ଭର ଭାରତର ଝଲକ ଦୁଇ ବର୍ଷରେ ଥରେ ଆୟୋଜିତ ହେଉଥିବା ଏୟାର ଶୋ ଏଥର ରହିଥିଲା ବେଶ ଖାସ । ଏଥର ଦେଖିବାକୁ ମିଳିଛି ବାୟୁବୀର ରାଫେଲର ଦମ ସାଙ୍ଗକୁ ତେଜସର ତେଜ ଆଉ ସାରଙ୍ଗର ସୌର୍ଯ୍ୟ । କେବଳ ଏତିକି ନୁହେଁ, ହାର୍ଟ ଆଙ୍କି ମହିଳାଙ୍କ ହୃଦୟ ଜିତିଛି ସାରଙ୍ଗ ଓ ସୂର୍ଯ୍ୟକିରଣ ଟିମ । ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ମଜବୁତ କରିବା ଏବଂ ଦେଶରେ ନିର୍ମିତ ଯୁଦ୍ଧାସ୍ତ୍ର ପ୍ରତି ଅନ୍ୟ ଦେଶକୁ ଆକର୍ଷିକ କରିବା ଲକ୍ଷ୍ୟରେ ଏହି ଶୋ ଆୟୋଜିତ ହୋଇଥିଲା । ଏଥିରେ ଭାରତ ସମେତ 55ଟି ଦେଶ ଭାଗ ନେଇଛନ୍ତି । ବେଙ୍ଗାଲୁରୁ ୟେଲହଙ୍କା ବିମାନବନ୍ଦରରେ ଆୟୋଜିତ ଏରୋ ଇଣ୍ଡିଆ ଶୋ ରୋମାଞ୍ଚକାରୀ ଅନୁଭବ ବୋଲି କୁହାଯାଇପାରେ । ଆତ୍ମନିର୍ଭର ଫର୍ମେସନ ଫାଇଟର ପ୍ରଦର୍ଶନ ଦେଶର ପ୍ରତିରକ୍ଷା ଟେକ୍ନୋଲୋଜୀ ଦୃଷ୍ଟିରୁ ବେସ ଗୁରୁତ୍ବପୂର୍ଣ୍ଣ, ଯାହା କି ଆଗାମୀ ଦିନରେ ଭାରତର ବାୟୁ ଶକ୍ତିକୁ ଆହୁରି ସୁଦୃଢ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ