ନୂଆଦିଲ୍ଲୀ: ଶୁକ୍ରବାର ବିରୋଧୀଙ୍କ ଭିଡିଓ କନଫେରେନ୍ସିଂ ବୈଠକରୁ ଓହରିଛି ଆମ ଆଦମୀ ପାର୍ଟି(ଆପ୍) ଦଳ । ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଶିବସେନା ଯୋଗ ଦେବା ନେଇ ନିଶ୍ଚିତ କରିଛି ।
ପ୍ରକାଶ ଥାଉ କି ଶୁକ୍ରବାର ଅପରାହ୍ନ 3ଟାରେ ଏହି ବୈଠକ ଆୟୋଜିତ ହେବ । ଏଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରିବେ । ବୈଠକରେ ଯୋଗ ଦେବା ପାଇଁ 18ଟି ଦଳଙ୍କୁ ନିମନ୍ତ୍ରଣ କରିଛି କଂଗ୍ରେସ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ପୂର୍ବରୁ ନିଜର ସହମତି ଦେଇଛନ୍ତି । ଗୁରୁବାର ମହାରାଷ୍ଟ୍ରରେ କ୍ଷମତାରେ ଥିବା କଂଗ୍ରେସର ସାଥୀ ଦଳ ଶିବସେନା ମଧ୍ୟ ବୈଠକରେ ଉପସ୍ଥିତ ରହିବା ପାଇଁ ଗ୍ରୀନ ସିଗନାଲ ଦେଇଛି । ଏନେଇ ଶିବସେନା ନେତା ସଞ୍ଜୟ ରାଉତ ସୂଚନା ଦେଇଛନ୍ତି ।
ତେବେ ଆପ୍ ନେତା ସଞ୍ଜୟ ସିଂହଙ୍କ ଅନୁସାରେ ଦଳ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଅଂଶଗ୍ରହଣ କରିବ ନାହିଁ । ଏନେଇ କୌଣସି ସ୍ପଷ୍ଟ କାରଣ ଦଳ ଦେଇନାହିଁ । ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ଅଧ୍ୟକ୍ଷାଙ୍କ ନେତୃତ୍ବରେ ଆୟୋଜିତ ଏହି ବୈଠକରେ ମୋଦି ସରକାରଙ୍କ କୋରୋନା ପରିସ୍ଥିତି ମୁକାବିଲା ଓ ପରିଚାଳନା ଉପରେ ଆଲୋଚନା ହେବ । ସରକାରଙ୍କ ସମସ୍ତ ପଦକ୍ଷେପ ଉପରେ ବିରୋଧୀ ଦଳଙ୍କ ମତ ସଂଗ୍ରହ କରିବ କଂଗ୍ରେସ । ଏହାସହ ପ୍ରବାସୀ ଶ୍ରମିକଙ୍କ ସମସ୍ୟା, ସଂସଦ ଚାଲୁନଥିବା ସତ୍ତ୍ବେ ସଂସଦୀୟ କମିଟିର କାର୍ଯ୍ୟକ୍ଷମ ଆଦି ବିଷୟ ଉପରେ ମଧ୍ୟ ଆଲୋଚନା କରିବେ ବିରୋଧୀ ଦଳ ।
ସୌଜନ୍ୟ@ANI