ବେଙ୍ଗାଲୁରୁ: ଯୋଗ ଏକ ପ୍ରକାର କୌଶଳ, ଯାହା ମଣିଷକୁ ଶାରୀରିକ ଏବଂ ମାନସିକ ସ୍ତରରେ ଶାନ୍ତି ରଖିବାର ଏକ ସରଳ ମାଧ୍ୟମ । ତେଣୁ ଅଧିକାଂଶ ଲୋକେ ଯୋଗ ପଦ୍ଧତି ଆପଣାଉଛନ୍ତି । ଆମ ଦେଶ ଭାରତରୁ ଆରମ୍ଭ ହୋଇଥିବା ଯୋଗ ବର୍ତ୍ତମାନ ସାରା ବିଶ୍ବରେ ସ୍ଥାନ ପାଇଛି । ଯୋଗର ଉପକାରିତା ବିଷୟରେ ଜାଣିବା ପରେ ବିଶ୍ବର ଅଧିକାଂଶ ଲୋକେ ଏଥିପ୍ରତି ଆକର୍ଷିତ ହେଉଛନ୍ତି ।
ତେବେ ବିଶ୍ବରେ ଯୋଗର ଉପକାରିତା ବାବଦରେ ଚର୍ଚ୍ଚା ହେବାପରେ ଯୋଗ ପ୍ରଶିକ୍ଷକମାନଙ୍କ ଚାହିଦା ମଧ୍ୟ ଦିନ କୁ ଦିନ ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକର ବେଲଗାଭି ଜିଲ୍ଲା ୟଦୁରା ଗ୍ରାମର କାର୍ତ୍ତିକ ମଗାଦୁମ ଯୋଗ ପ୍ରଶିକ୍ଷକ ଭାବେ ବିଦେଶରେ ବେଶ୍ ନାଁ କମାଇ ପାରିଛନ୍ତି । କାର୍ତ୍ତିକ ଚୀନବାସୀଙ୍କୁ ଯୋଗ ଶିଖାଇ ବେଶ୍ ନାଁ କମାଇଛନ୍ତି ।
ତେବେ କାର୍ତ୍ତିକ ସେଠାରେ ଜଣେ ଯୋଗ ପ୍ରଶିକ୍ଷକ ଭାବେ କାମ କରୁଛନ୍ତି । ସେ ଯୋଗର ଉପକାରିତା ବାବଦରେ ସୂଚନା ଦେଇ ଚୀନର ଏକ ହଜାର ଲୋକଙ୍କୁ ଯୋଗ ଶିଖାଉଥିବା ଜଣାପଡିଛି । କାର୍ତ୍ତିକ ପିଲାଟି ବେଳୁ ଯୋଗ ପ୍ରତି ବେଶ୍ ଆଗ୍ରହୀ ଥିଲେ ।
ଲକଡାଉନ ପୂର୍ବରୁ କାର୍ତ୍ତିକ ନିଜ ଗାଁକୁ ଚାଲି ଆସିଥିଲେ । ଏଠାରେ ମଧ୍ୟ ସେ ମାଗଣାରେ ସ୍କୁଲ୍ ପିଲାମାନଙ୍କୁ ଯୋଗ ଶିଖାଉଛନ୍ତି । ଆଗକୁ ମଧ୍ୟ ଚୀନରେ ଯୋଗ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ