ଭିନ୍ନ ସଂସ୍କୃତି, ବିବିଧ କଳା ଓ ସାହିତ୍ୟର ସମାହାର ପାଇଁ ଦେଶ ବିଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଭାରତ । ଗୋଟିଏ ଛାତ ତଳେ ଏଠି ପାଳନ ହୁଏ ସବୁ ଧର୍ମର ପର୍ବ ଓ ପ୍ରତ୍ୟେକ ଧର୍ମକୁ ମିଳେ ସମାନ ସମ୍ମାନ । ଏହିପରି ଏକ ମନ୍ଦିରମାଳିନୀ ପାହାଡ ହେଉଛି ଗୁଜୁରାଟର ଶତ୍ରୁଞ୍ଜୟ ପାହାଡ । ଯେଉଁଠି ଆଜି ବି ସାଇତା ହୋଇ ରହିଛି ଜୈନ ଧର୍ମର ଟିକିନିଖି ତଥ୍ୟ । ଏହି ପାହାଡର ପାଦ ଦେଶରେ ରହିଛି ପାଲିଟାନା ସହର । ଯେଉଁଠି ଜୈନ ଧର୍ମର ପବିତ୍ରତା ଓ ଭିନ୍ନତା ସ୍ପଷ୍ଟ ବାରି ହୋଇ ପଡେ ।
ବିଶ୍ବାସ ରହିଛି କି ଏହି ପାହାଡରେ ଥିବା ପ୍ରତିଟି ପଥର ଜଣେ ଜଣେ ଜୈନ ଧର୍ମାବଲମ୍ବୀଙ୍କ ମୋକ୍ଷର ପ୍ରତୀକ । ଏଥିପାଇଁ ଜୈନ ଧର୍ମୀୟଙ୍କ ପାଇଁ ଏକ ପବିତ୍ର ତୀର୍ଥସ୍ଥାନର ଆଖ୍ୟା ପାଇଛି ପାଲିଟାନା ସହର । ତେଣୁ କୁହନ୍ତି କି ନିଜ ଜୀବନ କାଳରେ ଥରେ ଜୈନ ଧର୍ମୀୟ ପାଲିଟାନା ସହର ଆସିଲେ ସେମାନଙ୍କ କର୍ମର ପ୍ରାୟଶ୍ଚିତ ହେବା ସହ ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୁଏ । ଏଥିସହ ପାଲିଟାନା ସହର ଆସିବା ଦ୍ବାରା ସେମାନଙ୍କ ଭବ୍ୟ ସ୍ଥିତି ପ୍ରାପ୍ତି ହେବା ନେଇ ମଧ୍ୟ ବିଶ୍ବାସ ରହିଛି ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କି ଏହି ଶତ୍ରୁଞ୍ଜୟ ପାହାଡରେ ରହିଛି ପ୍ରାୟ 1300 ମନ୍ଦିର । ସମସ୍ତ ମନ୍ଦିର ମାର୍ବଲରେ ନିର୍ମିତ ହୋଇଥିବା ବେଳେ ପାହାଡର ସର୍ବୋଚ୍ଚରେ ରହିଛି ମୁଖ୍ୟ ଜୈନ ମନ୍ଦିର ବା ତୀର୍ଥଙ୍କର । ଏଠାରେ ପୂଜା ପାଆନ୍ତି ଶ୍ରୀ ରିଷଭଦେବ ସ୍ବାମୀ ବା ପ୍ରଭୂ ଆଦିନାଥ । ତେବେ ଏଠାରେ ରହିଛି ଏକ କଟକଣା । ସେ ହେଉଛି ଏହି ପାହାଡରେ କେହି ବି ରାତି ବିତାଇବେ ନାହିଁ କିମ୍ବା ଶୋଇବେ ନାହିଁ । ସେ ମନ୍ଦିରର ପୂଜକ ବି ହୁଅନ୍ତୁ ନା କାହିଁକି । ସେମାନେ ଏହି ପାହାଡରେ ରାତି ବିତାଇବାର ଅନୁମତି ରହିନାହିଁ । ଏହା ପଛରେ କାରଣ ହେଉଛି ଏହି ସ୍ଥାନଟି ଦେବତାଙ୍କ ଆସ୍ଥାନ ହୋଇଥିବାରୁ ଏଠାରେ କୌଣସି ମଣିଷ ରାତି ବିତାଇ ପାରିବେ ନାହିଁ ।
ଏହି ଶତ୍ରୁଞ୍ଜୟ ପାହାଡକୁ ନେଇ ରହିଛି ଅନେକ ଲୋକକଥା । ଏହାକୁ ଅନେକ ବିଶ୍ବାସ କରନ୍ତି ତ ଆଉ କେତେକ ଏହାକୁ ଗୁଜବ ବୋଲି କୁହନ୍ତି । କୁହନ୍ତି କି ପ୍ରଭୁ ଆଦିନାଥ ବା ମୁକନାୟକ ଏଠାରେ ସ୍ଥାପନ ହେବା ପରେ ଏକକାଳୀନ 7 ଥର ଶ୍ବାସ ନେଇଥିଲେ । ସେହିପରି ପ୍ରତ୍ୟେହ ରାତିରେ ଭଗବାନଙ୍କ ମୂର୍ତ୍ତି ଉପରେ ରୂପାର ଏକ ଛାଉଣୀ ପଡିଯାଏ । ଯାହାକୁ ପୂଜକମାନେ ନିଜ ପାଉଣା ଆକରରେ ଗ୍ରହଣ କରନ୍ତି ।
ଏପରି ବି କୁହାଯାଏ କି ପ୍ରଭୁ ସୁପର୍ଶଭାନାଥ ସ୍ବାମୀଙ୍କ ଛୋଟିଆ ମୂର୍ତ୍ତି ପ୍ରତି ରାତିରେ ଅତିକମରେ 10 ଇଞ୍ଚ ଉପରକୁ ଉଡି ପ୍ରଭୁ ଆଦିନାଥଙ୍କ ପାପୁଲିରେ ସ୍ଥାପିତ ହୋଇଥାଆନ୍ତି । ସେପଟେ ଏହି ପାହାଡରେ ଏପରି ଏକମାତ୍ର ଗଛ ରହିଛି ଯାହା ତଳେ ପୁରୁଣା କାଳର ହୀରା, ରୂପା, ସୁନା ଓ ମୋତି ମାଣିକ ଆଦି ଲୁଚି ରହିଛି ବୋଲି ବିଶ୍ବାସ ରହିଛି ।
ଏଠାରେ ମୁଖ୍ୟତଃ କାର୍ତ୍ତିକ ପୂର୍ଣ୍ଣିମା ବେଶ ଧୁମଧାମରେ ପାଳନ ହୁଏ । ଯାହାକି ଦୀପାବଳି ପରେ ପ୍ରଥମ ପୂର୍ଣ୍ଣିମା । ବର୍ଷା ଦିନେ ଏହି ପାହାଡରେ ଥିବା ମନ୍ଦିରର ଦ୍ବାରା ବନ୍ଦ ଥିବା ବେଳେ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥାଏ । ତେଣୁ ଏହି ଦିନ ହଜାର ହଜାର ଜୈନ ଧର୍ମାବଲମ୍ବୀଙ୍କ ଭିଡ ଦେଖିବାକୁ ମିଳିଥାଏ ।