ଲକ୍ଷ୍ନୌ: ଉତ୍ତରପ୍ରଦେଶର ସମ୍ବଲ ଜିଲ୍ଲାରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଏକ କୋଠରୀରେ ମିଳିଥିବା ଆତ୍ମହତ୍ୟା ନୋଟକୁ ନେଇ ଚର୍ଚ୍ଚା । 19 ପୃଷ୍ଠାର ଏହି ଆତ୍ମହତ୍ୟା ନୋଟରେ ଦେଶର ଅନେକ ସମସ୍ୟା ବିଷୟରେ ଛାତ୍ରୀ ଜଣକ ପ୍ରଧାନମନ୍ତ୍ରୀଙ୍କ ସମାଧାନର ଆଶା ରଖିଛନ୍ତି । ମୃତାଙ୍କ ଆତ୍ମହତ୍ୟା ନୋଟରେ ଦେଶ ସହ ଜଡିତ ସମସ୍ୟା, ଦିପାବଳୀରେ ବାଣ ନିଷେଧ, ହୋଲିରେ ରାସାୟନିକ ରଙ୍ଗ ନିଷିଦ୍ଧ କରିବା, ଡାକ୍ତରଙ୍କ ଦ୍ବାରା ମହଙ୍ଗା ଔଷଧ ବିକ୍ରୟ ଆଦି ଅନ୍ତର୍ଭୁକ୍ତ ।
ଏହି ସମସ୍ୟା ଦୂର କରିବା ପାଇଁ ଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଏବଂ ଆତ୍ମହତ୍ୟା ପାଇଁ ମଧ୍ୟ ନିଜକୁ ଦାୟୀ କରିଛନ୍ତି । ପୋଲିସର ସୂଚନାନୁସାରେ, ପୋଷ୍ଟମର୍ଟମ ରିପୋର୍ଟରେ ଆତ୍ମହତ୍ୟା ନିଶ୍ଚିତ ହୋଇଛି । ସମ୍ବଲ ଜିଲ୍ଲାର ଗୁନୋର କୋଟୱାଲୀ ଅଞ୍ଚଳର ବାବରାଲା ସହରରେ ରହୁଥିବା ଏକ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆଞ୍ଚଲ୍ ଅଗଷ୍ଟ 14 ରେ ନିଜ ଘରେ ଆତ୍ମହତ୍ୟା କରିଥିଲେ । ଛାତ୍ରୀଙ୍କ ମୃତ୍ୟୁ ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରିଥିଲା, ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା । ଆତ୍ମହତ୍ୟାର ଦୁଇ ଦିନ ପରେ ପରିବାର ଏକ ନୋଟବୁକ୍ ପାଇଥିଲା, ଯେଉଁଠାରେ ଛାତ୍ରୀ 19 ପୃଷ୍ଠାର ଆତ୍ମହତ୍ୟା ନୋଟ ଲେଖିଛନ୍ତି ।
ଏହି ଆତ୍ମହତ୍ୟା ନୋଟରେ ଛାତ୍ରୀ ଦେଶର ଅନେକ ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି । ଆତ୍ମହତ୍ୟା ନୋଟ ଆରମ୍ଭରେ ଛାତ୍ରୀ ଜଣକ ତାଙ୍କ ପରିଚୟ ଦେଇଥିଲେ ଓ ଲେଖିଥିଲେ ଯେ ମୁଁ ଏହି ବିଶ୍ବକୁ ପସନ୍ଦ କରେ ନାହିଁ । ଛାତ୍ରୀଙ୍କ ଆତ୍ମହତ୍ୟା ନୋଟ ଅନୁଯାୟୀ ଏଠାକାର ଲୋକେ ବୃଦ୍ଧ ପିତାମାତାଙ୍କୁ ଘରୁ ବାହାର କରିଦେଉଛନ୍ତି ଓ ନିଜ ସ୍ବାର୍ଥ ପାଇଁ ଗଛ ମଧ୍ୟ କାଟୁଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବାବେଳେ ଛାତ୍ରୀ ଜଣକ ଆତ୍ମହତ୍ୟା ନୋଟରେ ଲେଖିଛନ୍ତି ଯେ ଆପଣଙ୍କ ପରି ଜଣେ ପ୍ରଧାନମନ୍ତ୍ରୀ ଅନ୍ଧାରରେ ଆଲୋକ ସଦୃଶ୍ୟ । ଯିଏ ବର୍ଷ ବର୍ଷ ଧରି ବିଚାରାଧୀନ କାମକୁ ଶେଷ କରୁଛି । ମୃତକଙ୍କ ଅନୁଯାୟୀ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲେ କିନ୍ତୁ ସମୟ ଅଭାବରୁ ଏହା ସମ୍ଭବ ନୁହେଁ । ପ୍ରଧାନମନ୍ତ୍ରୀଙ୍କୁ ସମ୍ବୋଧିତ କରିଥିବା ଆତ୍ମହତ୍ୟା ନୋଟରେ ଛାତ୍ର ପ୍ରଦୂଷଣକୁ ରୋକିବା, ନଦୀକୁ ପରିଷ୍କାର କରିବା, ଜନସଂଖ୍ୟା ହ୍ରାସ କରିବା ପାଇଁ ପାଇଁ ଆଇନ ପ୍ରସ୍ତୁତ କରିବାକୁ ଦାବି କରିଛନ୍ତି । ଆତ୍ମହତ୍ୟା ନୋଟ ଶେଷରେ ତାଙ୍କ ମା’ଙ୍କୁ କ୍ଷମା ମାଗିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ