ମୁମ୍ବାଇ: ମହାରାଷ୍ଟ୍ର ରାୟଗଡ ମହଦ ସହରର କାଜଲପୁର ଅଞ୍ଚଳରେ 5 ମହଲା କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ପାଇଛି । ଏବେବି 18 ଜଣ କୋଠା ତଳେ ଫସି ରହି ଥିବା ବେଳେ 7 ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ ଜିଲ୍ଲାପାଳ ନିଧି ଚୌଧୁରୀ ସୂଚନା ଦେଇଛନ୍ତି । ତେବେ ଏହି ଦୁର୍ଘଟଣାରେ ଏଯାବତ 26 ଜଣ ଉଦ୍ଧାର ହୋଇଛନ୍ତି । ତେବେ ସମ୍ପୃ୍କ୍ତ ବିଲଡରଙ୍କ ନାମରେ ମମାଲା ରୁଜୁ କରାଯାଇଛି ।
ଏପଟେ ପ୍ରତ୍ୟେକ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ । ଏହି ଘଟଣାରେ ଆହତଙ୍କୁ 50,000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ମହାରାଷ୍ଟ୍ର ମନ୍ତ୍ରୀ ବିଜୟ ୱାଡେଟିୱାର ସୂଚନା ଦେଇଛନ୍ତି ।
ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ମହାରାଷ୍ଟ୍ରର ରାୟଗଡରେ କୋଠା ଭୁଶୁଡ଼ିବା ଅତ୍ୟନ୍ତ ଦୁଃଖଦାୟକ । ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ଏନଡିଆରଏଫ ଡିଜିଙ୍କ ସହିତ କଥା ହୋଇଛନ୍ତି ସେ । ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି ।
ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ ସହ ଡଗସ୍କାର୍ଡ ମଧ୍ୟ ନିୟୋଜିତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ