ବେଜିଂ: ଉହାନରୁ ପୁଣି ଆସିଲା ସାଙ୍ଘାତିକ ଓ ଚିନ୍ତାଜନକ ରିପୋର୍ଟ । ସହରରେ କୋରୋନାରୁ ମୁକ୍ତ ହୋଇଥିବା 90 ପ୍ରତିଶତ ଲୋକଙ୍କ ଫୁସ୍ଫୁସ୍ ନଷ୍ଟ ସ୍ଥିତିରେ ଏବଂ 5 ପ୍ରତିଶତ ପୁଣି କରୋନା ପଜିଟିଭ୍ ହେବାରୁ କ୍ବାରେଣ୍ଟାଇନରେ ଅଛନ୍ତି । ବୁଧବାର ଦିନ ପ୍ରକାଶିତ ଏକ ରିପୋର୍ଟରେ ଏଭଳି ସଙ୍ଗୀନ ତଥ୍ୟ ସାମ୍ନାକୁ ଆସିଛି ।
କୋରୋନାରେ ସଂକ୍ରମିତ ହେବା ପରେ ସମ୍ପୃକ୍ତ ରୋଗୀମାନେ ଚୀନ୍ର ଉହାନସ୍ଥିତ ଏକ ପ୍ରମୁଖ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏପ୍ରିଲ୍ ମାସ ଠାରୁ ଉହାନ୍ ୟୁନିଭର୍ସିଟି ଅଧୀନ ଝୋଙ୍ଗନାନ୍ ହସ୍ପିଟାଲ୍ର ଆଇସିୟୁ ନିର୍ଦେଶକ ପେଙ୍ଗ୍ ଝିୟୋଙ୍ଗ୍ଙ୍କ ନେତୃତ୍ବରେ ଏକ ଗବେଷକ ଟିମ୍ ସୁସ୍ଥ ହୋଇଥିବା ୧୦୦ ଜଣ କୋଭିଡ୍ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ଉପରେ ଦୃଷ୍ଟି ରଖିଥିଲେ । ଏହି ଅଧ୍ୟୟନରେ ସାମିଲ କରାଯାଇଥିବା ରୋଗୀଙ୍କ ବୟସ ହାରାହାରି ୫୯ ।
ପ୍ରଥମ ପର୍ଯ୍ୟାୟ ଫଳାଫଳ ଅନୁଯାୟୀ, 90% ରୋଗୀଙ୍କ ଫୁସଫୁସ ବର୍ତ୍ତମାନ ସୁଦ୍ଧା କ୍ଷତିଗ୍ରସ୍ତ ଅବସ୍ଥାରେ ଅଛି, ଅର୍ଥାତ୍ ସେମାନଙ୍କ ଫୁସ୍ଫୁସ୍ର ବାୟୁ ଚଳାଚଳ ଓ ବାଷ୍ପ ବିନିମୟ ସୁସ୍ଥ ବ୍ୟକ୍ତିଙ୍କ ସ୍ତରକୁ ଆସିନାହିଁ ବୋଲି ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ରିପୋର୍ଟ କରିଛି । ପେଙ୍ଗ୍ ଟିମ୍ ରୋଗୀମାନଙ୍କୁ ଛଅ ମିନିଟ୍ ଚାଲିବା ପରୀକ୍ଷା କରାଇଥିଲେ। ସେମାନେ ଦେଖିଲେ ଯେ, ସୁସ୍ଥ ହୋଇଥିବା ଆକ୍ରାନ୍ତମାନେ ଛଅ ମନିଟ୍ରେ ମାତ୍ର ୪୦୦ ମିଟର ଚାଲି ପାରୁଛନ୍ତି । କିନ୍ତୁ, ଆକ୍ରାନ୍ତ ହୋଇ ନ ଥିବା ବ୍ୟକ୍ତିମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ୫୦୦ ମିଟର ଚାଲୁଛନ୍ତି ।
ଏହାଛଡ଼ା ଡାକ୍ତରଖାନାରୁ ଡିସଚାର୍ଜ ହେବାର ତିନି ମାସ ପରେ ମଧ୍ୟ କିଛି ରୋଗୀ ଅମ୍ଳଜାନ ଉପରେ ନିର୍ଭର କରୁଥିଲେ ବୋଲି ଚାଇନାର ମେଡିସିନ୍ ବେଜିଂ ୟୁନିଭରସିଟିର ଡୋଙ୍ଗ୍ଝିମେନ୍ ହସ୍ପିଟାଲର ଡାକ୍ତର ଲିଆଙ୍ଗ ଟେଙ୍ଗ୍ଜିଆଓ କହିଛନ୍ତି।
ହୁବେଇ ପ୍ରଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 68,138 ଟି COVID-19 ମାମଲା ରିପୋର୍ଟ ହୋଇଛି । ସରକାରୀ ତଥ୍ୟ ଅନୁଯାୟୀ ଏହି ରୋଗରେ ପ୍ରଦେଶର 4,512 ଜଣଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ଚୀନ୍ 27 ଟି ନୂତନ COVID-19 ମାମଲା ରିପୋର୍ଟ କରିଛି, ସେଥିମଧ୍ୟରେ 22 ଟି ସ୍ଥାନୀୟ ସଂକ୍ରମିତ ମାମଲା ରହିଛି ବୋଲି ଜାତୀୟ ସ୍ୱାସ୍ଥ୍ୟ ଆୟୋଗ (NHC) ବୁଧବାର ଦିନ କହିଛି।