ଚେନ୍ନାଇ: ତାମିଲନାଡୁର ତ୍ରିଚୀ ବିମାନବନ୍ଦରରୁ ଶନିବାର 8.5 କିଲୋଗ୍ରାମର ଚୋରା ଚାଲାଣ ହେଉଥିବା ସୁନାକୁ ଜବତ କରାଯାଇଛି । ଯାହାର ବଜାର ମୂଲ୍ୟ 4 କୋଟି 25ଲକ୍ଷ ଟଙ୍କା ହେବ ବୋଲି ବିମାନବନ୍ଦରର ଇଣ୍ଟେଲିଜେନ୍ସ ବିଭାଗ କହିଛି ।
ଗତ କିଛି ମାସ ଧରି ଦୁବାଇରୁ କ୍ରମାଗତ ଭାବେ ବିଭିନ୍ନ ସ୍ଥାନକୁ ସୁନା ଚୋରା ଚାଲାଣ ହେଉଥିବା ଖବର ଦେଖିବାକୁ ମିଳୁଛି । ପୁଣି ଏଭଳି ଏକ ଘଟଣା ତାମିଲନାଡୁ ତ୍ରିଚୀ ବିମାନବନ୍ଦରରେ ଦେଖିବାକୁ ମିଳିଛି । ଏହି ସୁନାଗୁଡିକ ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଦୁବାଇରୁ ଆସିଥିବା ଯାତ୍ରୀମାନଙ୍କ ଲଗେଜରୁ କେନ୍ଦ୍ରୀୟ ଏୟାର ଇଣ୍ଟେଲିଜେନ୍ସ ଅଧିକାରୀମାନେ ଯାଞ୍ଚ କରିଥିଲେ ।
ଏହି ଯାଞ୍ଚ ସମୟରେ 10 ଜଣ ଯାତ୍ରୀଙ୍କ ଲଗେଜରୁ ପ୍ରାୟ 8.5 କେଜିର ସୁନାକୁ ଠାବ କରିଥିଲା ବିଭାଗ । ଯାହାର ବଜାର ମୂଲ୍ୟ 4 କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ବିମାନବନ୍ଦରର ଇଣ୍ଟେଲିଜେନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିମାନ ଯାତ୍ରୀମାନେ କିଛି ସୁନାକୁ ଶରୀରରେ ମଧ୍ୟ ଲୁଚାଇ ଆଣିଥିଲେ । ତେବେ ସେହି 10 ଜଣ ଯାତ୍ରୀଙ୍କୁ ଅଟକ ରଖାଯାଇ ଅଧିକ ତଦନ୍ତ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ