ନୂଆଦିଲ୍ଲୀ: କୋଭିଡ-19 ସ୍ଥିତି ମଧ୍ୟରେ ପ୍ରାୟ 67 ପ୍ରତିଶତ ଲୋକ ଚାକିରୀ ହରେଇଛନ୍ତି ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ପ୍ରାୟ 74 ପ୍ରତିଶତ ଲୋକ ଖାଦ୍ୟ ସାମଗ୍ରୀ ବଞ୍ଚେଇବା ପାଇଁ କମ୍ ଖାଉଥିବାର ଜଣାପଡିଛି । ଏହାସହ 61 ପ୍ରତିଶତ ଲୋକଙ୍କ ପାଖରେ ଗୋଟେ ସପ୍ତାହର ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଅର୍ଥ ନାହିଁ ।
Azim Premji University's Centre for Sustainable Employmentର ସର୍ଭେ ରିପୋର୍ଟ ଏହି ସୂଚନା ଦେଇଛି । ଏପ୍ରିଲ 13ରୁ ମେ 9 ମଧ୍ୟରେ ଏହି ସର୍ଭେ କରାଯାଇଛି । ପ୍ରାୟ 3 ହଜାର 970ଙ୍କୁ ନେଇ ଏହି ସର୍ଭେ କରାଯାଇଛି । 12 ଟି ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକଙ୍କୁ ନେଇ ସର୍ଭେ କରାଯାଇଛି ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମକୁ ତଳସ୍ତରରୁ ଦେଖିବାକୁ ପଡିବ । ଗରିବ ଶ୍ରେଣୀର ଲୋକଙ୍କ ସହ କଣ ଘଟୁଛି, ତାହାକୁ ନେଇ ବିଚାର କରିବା ଜରୁରୀ ବୋଲି ସିଏସଇର ବୈଜ୍ଞାନିକ ରୋଜା ଆବ୍ରାହାମ୍ କହିଛନ୍ତି । ଏହି ରିସର୍ଚ୍ଚକୁ 3 ଭାଗ କରାଯାଇଛି । ଯଥା ନିଯୁକ୍ତି ଉପରେ ପ୍ରଭାବ, ସେମାନଙ୍କ ପରିବାର ଉପରେ ପ୍ରଭାବ ଓ ସରକାରୀ ସହାୟତା।
ଏହି ସର୍ଭେର ସକରାତ୍ମକ ବିଷୟ ହେଉଛି । ପ୍ରାୟ 86 ପ୍ରତିଶତ ଲୋକ ସରକାରଙ୍କ ସହାୟତା ପାଉଥିବା କହିଛନ୍ତି । ଏହାସହ ଏମାନଙ୍କ ମଧ୍ୟରେ ଅନେକ ସିଧାସଳଖ ଟଙ୍କା ପାଉଥିବା କହିଛନ୍ତି । ସହରାଞ୍ଚଳରେ ଅଧିକ ବେରୋଜଗାରୀ ରହିଥିବାର ଦେଖିବାକୁ ମିଳିଥିବା ବେଳେ ଗ୍ରାମାଞ୍ଚଳରେ 58 ପ୍ରତିଶତ ରହିଛି । ଅନ୍ୟପକ୍ଷେ 90 ପ୍ରତିଶତ ଚାଷୀ ନିଜ ଫସଲର ପୁରା ଦାମ୍ ପାଉନଥିବା ଜଣାପଡିଛି ।