ଶ୍ରୀନଗର: ଶୁକ୍ରବାର ଉତ୍ତରାଞ୍ଚଳ କମାଣ୍ଡ ମୁଖ୍ୟ ଲେଫ୍ଟଟାଣ୍ଟ ଜେନେରାଲ ରଣବୀର ସିଂହଙ୍କ ବଡ ସୂଚନା । ପିଓକେକୁ ଲାଗିଥିବା ଅନ୍ତର୍ଜାତୀୟ ସୀମାରେ ଥିବା ବିଭିନ୍ନ ଆତଙ୍କବାଦୀ ପ୍ରଶିକ୍ଷଣ କ୍ୟାମ୍ପଗୁଡ଼ିକରେ ପାଖାପାଖି 500ରୁ ଊର୍ଦ୍ଧ୍ବ ଆତଙ୍କୀ ଭାରତରେ ଅନୁପ୍ରବେଶ କରିବା ସୁଯୋଗରେ ରହିଛନ୍ତି । ଏହାସହ ସେ ଆହୁରି କହିଛନ୍ତି ଯେ, ଜାମ୍ମୁ-କାଶ୍ମୀରରେ 200ରୁ 300 ଆତଙ୍କବାଦୀ ପାକ ସମର୍ଥନରେ ଏହି ଅଞ୍ଚଳରେ ଉପଦ୍ରବ ତଥା ହିଂସାକାଣ୍ଡ ଭିଆଇବାକୁ ଉଦ୍ୟମ କରୁଛନ୍ତି ।
ଏହାସହ ସେ କହିଛନ୍ତି 500ରୁ ଅଧିକ ଆତଙ୍କବାଦୀ ପିଓକେ ସନ୍ନିକଟ ଭାରତରେ ଅନୁପ୍ରବେଶ ପାଇଁ ଅପେକ୍ଷା କରି ରହିଛନ୍ତି । ଆତଙ୍କୀ ପ୍ରଶିକ୍ଷଣ କ୍ୟାମ୍ପ ଅନୁଯାୟୀ ଆତଙ୍କୀଙ୍କ ସଂଖ୍ୟାରେ ବୃଦ୍ଧି ଓ ହ୍ରାସ ହେବାରେ ଲାଗିଛି । ସଂଖ୍ୟାକୁ ଭାରତୀୟ ସେନା ଖାତିର କରେ ନାହିଁ । ଆତଙ୍କୀଙ୍କୁ ନିପାତ କରିବାରେ ଭାରତୀୟ ସେନା ସମ୍ପୂର୍ଣ୍ଣ ସକ୍ଷମ । ଆତଙ୍କବାଦୀଙ୍କୁ ସମୂଳେ ନାଶ କରି ଶାନ୍ତି ରକ୍ଷା ଓ ସ୍ଥିତି ସର୍ବଦା ସ୍ଥିରତା ବଜାୟ ରଖିବା ଆମର ଦାୟିତ୍ବ ବୋଲି ସେ କହିଛନ୍ତି ।
ଏହାସହ ସେ ଆହୁରି କହିଛନ୍ତି ଯେ, ପାକିସ୍ତାନ ଜାମ୍ମୁ-କାଶ୍ମୀରରେ ଶାନ୍ତି ଭଙ୍ଗ କରିବା ପାଇଁ ସର୍ବଦା ପ୍ରୟାସ କରୁଛି । ଆଜି ବି ପାକିସ୍ତାନରେ ଆତଙ୍କବାଦୀ ନିର୍ଭୟରେ ବୁଲୁଛନ୍ତି । ଭାରତକୁ ଆତଙ୍କବାଦୀ ପଠାଇବା ପାଇଁ ପିଓକେରେ ଆତଙ୍କବାଦୀଙ୍କୁ ଟ୍ରେନିଂ ସେଣ୍ଟର ଓ ଲଞ୍ଚିଂ ପ୍ୟାଡ ସକ୍ରିୟ ରହିଛି । ଏହାସହ ଡ୍ରୋନ ସାହାଯ୍ୟରେ ଭାରତକୁ ଅସ୍ତ୍ର ପ୍ରେରଣ କରିବା ପାକିସ୍ତାନର ନୂଆ ଚାଲ ବୋଲି ସେ କହିଛନ୍ତି । ପାକିସ୍ତାନ ସେନାର ସମସ୍ତ ଯୋଜନା ଓ ଉଦ୍ୟମକୁ ସମ୍ପୂର୍ଣ୍ଣ ଭାବରେ ଭଣ୍ଡୁର କରିବା ପାଇଁ ସେନା ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି ।