ରାୟପୁର: କେଶକାଲ ବିଧାନସଭା ଅନ୍ତର୍ଗତ ଧନୋରା ଥାନା ଅଧିନ ଓଡାଗାଓଁରେ ଘଟିଥିବା ଗଣଦୁଷ୍କର୍ମ ପରେ ନାବାଳିକା ଆତ୍ମହତ୍ୟା କରିବା ଘଟଣାରେ 5ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏହି ଘଟଣା ଗତ 2 ମାସ ପୂର୍ବରୁ ଘଟିଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିନଥିଲା । ପରେ ଯୁବତୀ ଜଣଙ୍କର ପିତା ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିବାରୁ ଘଟଣା ସହ ଜଡିତ ବହୁ ରହସ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି । ଏହି ଘଟଣା ସାଧାରଣରେ ଉଦବେଗ ପ୍ରକାଶ ପାଇବା ପରେ ପୋଲିସ ଆକ୍ସନ ମୋଡକୁ ଆସିଥିବା ଦେଖିବାକୁ ମିଳିଛି ।
ପୋଲିସ ଦ୍ବାରା ଏହି ଘଟଣାରେ ସମସ୍ତ 5 ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି। ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ । କୋଡଗାଉଁ ଏସପିଙ୍କୁ ପୁରା ଘଟଣା ସମ୍ପର୍କରେ ରିପୋର୍ଟ ଦେବାକୁ ମଧ୍ୟ ଆୟୋଗ ପକ୍ଷରୁ ନୋଟିସ ଜାରି କରାଯାଇଛି।
ପୋଲିସ ମହାନିର୍ଦ୍ଦେକ ପି ସୁନ୍ଦରରାଜ ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଗଠନ କରିଥିବା ଜଣାପଡିଛି। ଘଟଣାକୁ ଅତି ଗମ୍ଭୀରତାର ସହ ନେଇ ବସ୍ତର ଆଇଜି ଧନୋରା ଥାନା ପହଞ୍ଚି ଘଟଣାର ତଦନ୍ତ ପ୍ରକ୍ରିୟା ସମୀକ୍ଷା କରିଛନ୍ତି। କୋଡଗାଉଁ ଅତିରିକ୍ତ ପୋଲିସ ଅଧିକ୍ଷକ ଅନନ୍ତ କୁମାର ସାହୁଙ୍କ ନେତୃତ୍ବରେ 5 ଜଣ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ (ଏସଆଇଟି) ଗଠନ କରାଯାଇଥିଲା। ଏହି ଏସଆଇଟି 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ଗଣମାଧ୍ୟମକୁ ସୂଚନା ଦେଇ କୋଡଗାଉଁ ଏସପି କହିଛନ୍ତି ଯେ ଏଭଳି ଏକ ଅଭିଯୋଗ ପୋଲିସ ନିକଟକୁ ଆସିବା ପରେ ପୋଲିସ ତୁରନ୍ତ ତତ୍ପରତା ଦେଖାଇଥିଲା। ଘଟଣାକୁ ଅତି ଗମ୍ଭୀରତାର ସହ ନେଇ ପୋଲିସ ପୀଡିତାର ପରିବାର ଲୋକଙ୍କୁ ପଚରାଉଚରା କରିବା ପରେ ଏଥିରେ 7 ଜଣଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଉଥିଲା। ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ 5 ଜଣଙ୍କ ମଧ୍ୟରେ 2 ଜଣ ନାବାଳକ ଥିବା ଏସପି ସୂଚନା ଦେଇଛନ୍ତି । ଏହି ଦୁଇ ନାବାଳକଙ୍କ ବୟସ ଯଥାକ୍ରମେ 13 ଓ 15 ବର୍ଷ ହେବ ବୋଲି ଜଣାପଡିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି, ଆଉ ଯାହାର ବି ଏଥିରେ ସମ୍ପୃକ୍ତିର ସୂଚନା ମିଳିବ ତାଙ୍କ ବିରୋଧରେ ମଧ୍ୟ କାର୍ଯାନୁଷ୍ଠାନ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ