ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଏପରିସ୍ଥଳେ ଏକ ଭଲ ଖବର ଆସିଛି ଯେ, ଏପର୍ଯ୍ୟନ୍ତ ଭାରତର ମୋଟ 736 ଟି ମଧ୍ୟରୁ 325 ଟି ଜିଲ୍ଲାରେ କୋରୋନା ଭାଇରସ୍ ସଂକ୍ରମିତ କୌଣସି ରିପୋର୍ଟ ଆସିନାହିଁ । ଏହା ବ୍ୟତୀତ ଗତ 14 ଦିନ ମଧ୍ୟରେ 17 ଟି ରାଜ୍ୟର 27 ଟି ଜିଲ୍ଲାରେ କୌଣସି କୋରୋନା ମାମଲା ପଞ୍ଜୀକୃତ ହୋଇନାହିଁ । ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 941 ଟି କୋରୋନା ମାମଲା ରିପୋର୍ଟ ହୋଇଛି ଏବଂ ଏହି ସମୟ ମଧ୍ୟରେ ସଂକ୍ରମଣ ହେତୁ ମୋଟ 37 ଜଣଙ୍କର ମୃତ୍ୟୁ ଘଟିଛି ।
ସେ ଆହୁରି କହିଛନ୍ତି ଯେ 12.02 ପ୍ରତିଶତ ଲୋକ କୋରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା ପାଇଛନ୍ତି । ତେବେ ଲକଡାଉନ ଓ ସାମାଜିକ ଦୂରତାର କଡାକଡି ପାଳନ ଦ୍ବାରା କୋରୋନା ସଂକ୍ରମଣ ଉପରେ ରୋକ ଲଗାଯାଇଛି ।
ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସମୁଦାୟ 12,380 ଟି କୋରୋନା ସଂକ୍ରମଣ ରିପୋର୍ଟ ରହିଛି । ସେଥିମଧ୍ୟରୁ ବର୍ତ୍ତମାନର ସକ୍ରିୟ ମାମଲା ସଂଖ୍ୟା 10,477 ଅଟେ । ଏହା ବ୍ୟତୀତ ଏପର୍ଯ୍ୟନ୍ତ 414 ଜଣ ଲୋକ ପ୍ରାଣ ହରାଇଥିବାବେଳେ 1,488 ଜଣ ଆରୋଗ୍ୟ ଲାଭ କରିଛନ୍ତି।
@IANS ଇନପୁଟ