ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହେଲାଣି କୋରୋନା ମହାମାରୀ ପୁନଃସଂକ୍ରମଣ । ମୁମ୍ବାଇରେ 2ଜଣ ପୁନଃସଂକ୍ରମିତ ହୋଇଥିବା ବେଳେ ଅହମ୍ମଦାବାଦରେ ଜଣେ ପୁନଃ ଆକ୍ରାନ୍ତ ହୋଇଥିବାର ଇଣ୍ଡିଆନ କାଉନସିଲ ମିଡିଆ ରିସର୍ଚ୍ଚ ପକ୍ଷରୁ ସୂଚନା ମିଳିଛି ।
କୋଭିଡ-19ରେ କୋରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ରୋଗୀ ପ୍ରଥମେ ହଂକଂରେ ପୁନଃସଂକ୍ରମଣର ଶିକାର ହୋଇଥିଲେ । କିନ୍ତୁ ବର୍ତ୍ତମାନ ଦେଶର ପ୍ରମୁଖ ସହର ମୁମ୍ବାଇ ଓ ଅହମ୍ମଦାବାଦରେ ଯଥାକ୍ରମେ 2 ଓ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ବୋଲି ଆଇସିଏମଆରର ମହାନିର୍ଦ୍ଦେଶକ ବଳରାମ ଭାର୍ଗଭା କହିଛନ୍ତି ।
ସେ ଆହୁରି କହିଛନ୍ତି ଡବ୍ଲୁଏଚଓରୁ ସଂଗ୍ରହ କରାଯାଇଥିବା ତଥ୍ୟ ଅନୁସାରେ ବିଶ୍ବରେ 2 ଡର୍ଜନ ପୁନଃସଂକ୍ରମଣ ହୋଇଛି । ତେବେ ପୁନଃସଂକ୍ରମଣ 90 ଦିନ, 100 ଦିନ କିମ୍ବା 110 ଦିନ ଭିତରେ ହେଉଛି କି ନାହିଁ ତାହା ଏ ପର୍ଯ୍ୟନ୍ତ ଡବ୍ଲୁଏଚଓ ଦ୍ବାରା ସ୍ପଷ୍ଟ କରାଯାଇନାହିଁ । କିନ୍ତୁ 100 ଦିନ ପର୍ଯ୍ୟନ୍ତ ଶରୀରରେ ଆଣ୍ଟିବଡି ଜୀବିତ ରହୁଛି ବୋଲି ସରକାରଙ୍କ ଦ୍ବାରା ଆକଳନ କରାଯାଇଛି । ଶରୀରରେ ପ୍ରକୃତରେ କେତେ ଦିନ ପର୍ଯ୍ୟନ୍ତ ଆଣ୍ଟିବଡି ଜୀବିତ ରହୁଛି ତାହା ଖୁବ୍ଶୀଘ୍ର ସ୍ପଷ୍ଟ ହେବ ବୋଲି ଆଇସିଏମଆରର ମହାନିର୍ଦ୍ଦେଶକ କହିଛନ୍ତି ।
ବିଭିନ୍ନ ରାଜ୍ୟରେ ପୁନଃସଂକ୍ରମଣର ରିପୋର୍ଟକୁ ସୂଚାଇ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରବିବାର ଦିନ କହିଛନ୍ତି କୋଭିଡ-19 ପୁନଃସଂଯୋଗ ବୋଲି କୁହାଯାଇଥିବା ଅନେକ ମାମଲା ଭୁଲ ଶ୍ରେଣୀଭୁକ୍ତ ହୋଇଛି । କାରଣ ରୋଗୀଟି ସୁସ୍ଥ ହୋଇଗଲା ପରେ ଦୀର୍ଘ ସମୟ ଧରି ଶରୀରରେ ଜୀବିତ ରହୁଥିବା ମୃତ ଜୀବାଣୁମାନଙ୍କୁ ଆରଟି-ପିସିଆର ପରୀକ୍ଷା ଚିହ୍ନଟ କରୁଛି। ଏହା ଆଇସିଏମଆର ଦ୍ବାରା ହୋଇଥିବା ଏକ ବିଶ୍ଳେଷଣରୁ ଜଣାପଡିଛି ।
ତେବେ ପ୍ରକୃତ ପୁନଃସଂକ୍ରମଣର ଅର୍ଥ ହେଉଛି ଜଣେ ସମ୍ପୂର୍ଣ୍ଣ ସୁସ୍ଥ ବ୍ୟକ୍ତି ନୂତନ ଜୀବାଣୁ ଦ୍ବାରା ସଂକ୍ରମିତ ହୋଇଥାଏ । ଆଇସିଏମ୍ଆର ପ୍ରକୃତ ପୁନଃସଂକ୍ରମଣକୁ ବୁଝିବା ପାଇଁ ଏକ ଅଧ୍ୟୟନ କରୁଛି ଏବଂ ଏହାର ଫଳାଫଳଗୁଡିକ ଦୁଇ ସପ୍ତାହ ମଧ୍ୟରେ ଜଣାଇ ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ।
@PTI