ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ, ଆରଏସଏସ ଏବଂ ବଜରଙ୍ଗ ଦଳର ଅନେକ ନେତା ଖଲିସ୍ତାନ ଲିବରେସନ ଫ୍ରଣ୍ଟର ଟାର୍ଗେଟରେ ଥିଲେ। ଫ୍ରଣ୍ଟ ସହ ଜଡିତ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ପୋଲିସ ଏହା ପ୍ରକାଶ କରିଛି । ତେବେ ପୋଲିସ ଖାଲିସ୍ତାନ ଆନ୍ଦୋଳନର 3 ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଶନିବାର ଗିରଫ କରିଛି । ସୂଚନା ରହିଛି ଯେ, ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ହତ୍ୟାକାଣ୍ଡ ଘଟାଇବାକୁ ଏହି ଅଭିଯୁକ୍ତ ମାନେ ଷଡଯନ୍ତ୍ର ରଚୁଥିଲେ ।
ପୋଲିସର ସୂଚନାନୁସାରେ, ବିଶ୍ୱ ହିନ୍ଦୁ ପରିଷଦ, ଆରଏସଏସ ଏବଂ ବଜରଙ୍ଗ ଦଳର ଏହି ନେତାମାନେ ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବରେ ରୁହନ୍ତି। ଏହି ନେତାମାନଙ୍କୁ ଟାର୍ଗେଟ କରି ଖାଲିସ୍ତାନ ଲିବରେସନ ଫ୍ରଣ୍ଟର ଏହି ଅଭିଯୁକ୍ତ ମାନେ ଉତ୍ତର ଭାରତର ମାହୋଲକୁ ଖରାପ କରିବାକୁ ଚେଷ୍ଟା କରୁଥିଲେ। ସମସ୍ତେ ଏକ ୱେବସାଇଟ ମାଧ୍ୟମରେ ଏକ ଗ୍ରେଟର ଖଲିସ୍ତାନ ସୃଷ୍ଟି କରିବାକୁ 'ରେଫରେଣ୍ଡମ୍ 2020' ଭୋଟିଂ ଆରମ୍ଭ କରିଥିଲେ । ରେଫରେଣ୍ଡମ ମାଧ୍ୟମରେ ଗ୍ରେଟର ଖଲିସ୍ତାନର ମୁଖ୍ୟାଳୟ ଲାହୋରରେ ନିର୍ମାଣ କରିବାକୁ ଚାହୁଁଥିଲେ।
ଦିଲ୍ଲୀ ପୋଲିସର କହିବାନୁସାରେ, ଏହି ପୂରା ଯୋଜନା ପଛରେ ଆଇଏସଆଇ ମଧ୍ୟ ରହିଥିଲା। ସେମାନେ ସମସ୍ତେ ସୋସିଆଲ ମିଡିଆ ମାଧ୍ୟମରେ ଅଧିକରୁ ଅଧିକ ଯୁବକଙ୍କୁ ନିଜ ସହ ସାମିଲ କରିବାକୁ ଚାହୁଁଥିଲେ। ସେମାନଙ୍କର ଅନେକ ହ୍ବାଟସ ଆପ୍ ଚାଟ ମଧ୍ୟ ଟ୍ରାସ କରାଯାଇଛି, ଯେଉଁଥିରେ ସେହି ନାଁ ଗୁଡିକ ରହିଛି ଯେଉଁମାନଙ୍କୁ ହତ୍ୟା କରାଯିବାକୁ ଷଡଯନ୍ତ୍ର ଚାଲିଥିଲା । ଶନିବାର 3 ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗୋଟିଏ ଦିଲ୍ଲୀରୁ, ଅନ୍ୟଟି ହରିୟାଣାରୁ ଏବଂ ତୃତୀୟଟି ପଞ୍ଜାବରୁ ।
ଅଧିକାରୀମାନେ ଶନିବାର କହିଛନ୍ତି ଯେ, ଗିରଫ ହୋଇଥିବା 3 ଅଭିଯୁକ୍ତ ଦିଲ୍ଲୀ ବାସିନ୍ଦା ମୋହିନ୍ଦର ପାଲ ସିଂ, ପଞ୍ଜାବ ବାସିନ୍ଦା ଗୁରୁତେଜ ସିଂ ଏବଂ ହରିୟାଣାର ଲଭପ୍ରୀତ ସିଂ ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ନିକଟରୁ 3ଟି ପିସ୍ତଲ ଏବଂ 7ଟି କାରତୁସ ମଧ୍ୟ ଜବତ କରାଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ସେମାନଙ୍କଠାରୁ ଜବତ ହୋଇଥିବା ମୋବାଇଲ ଫୋନରେ ଖଲିସ୍ତାନ ଆନ୍ଦୋଳନ ସହ ଜଡିତ ଆପତ୍ତିଜନକ ଭିଡିଓ ଏବଂ ଫଟୋଗ୍ରାଫ ରହିଛି ।