ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆର 3 ଜଣ ପୂର୍ବତନ ଛାତ୍ରଙ୍କୁ ଓସ୍କାର ଡକରା । ଏହି 3 ଜଣଙ୍କୁ ଓସ୍କାରରେ ବିଚାରପତି ହେବା ପାଇଁ ଆସିଛି ଡକରା । ସେମାନେ ଆମେରିକାର ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ତରଫରୁ ନିମନ୍ତ୍ରଣ ଗ୍ରହଣ କରିଛନ୍ତି । 68ଟି ଦେଶରୁ ଚଳଚ୍ଚିତ୍ର ଜଗତର 800ରୁ ଅଧିକ ଲୋକଙ୍କୁ ଏକାଡେମୀ ସଦସ୍ୟତା ପ୍ରଦାନ କରାଯାଇଛି । ସଦସ୍ୟତା ପ୍ରଦାନ କରିବାର ଉଦ୍ଦେଶ୍ୟ ହେଉଛି ଏକାଡେମୀରେ ସମସ୍ତ ଶ୍ରେଣୀର ପ୍ରତିନିଧିତ୍ବକୁ ବ୍ୟାପକ କରିବା ।
ନୂତନ ସଦସ୍ୟତା ପାଇଁ ଆମନ୍ତ୍ରିତ ହୋଇଥିବାଙ୍କ ମଧ୍ୟରେ ହଲିଉଡ, ବଲିଉଡ ସେଲିବ୍ରିଟି ତଥା ଭାରତର ଚଳଚ୍ଚିତ୍ର ପ୍ରଫେସନାଲ ମଧ୍ୟ ଅଛନ୍ତି। ଡକ୍ୟୁମେଣ୍ଟାରୀ ବର୍ଗରେ ଜାମିଆ ମିଲିଆର ନିଷ୍ଠା ଜୈନ,ଶେରଲେ ଅବ୍ରାହମ ଓ ଅମିତ ମହାଦେସିଆଙ୍କୁ ସଦସ୍ୟ ହେବାକୁ ପ୍ରସ୍ତାବ ଦିଆଯାଇଛି।
ଜାମିଆ ମିଲିଆରୁ ମାସ୍ କମ୍ୟୁନିକେସନ ପାଠ ପଢିବା ପରେ ନିଷ୍ଠା ଜୈନ ଫିଲ୍ମ ନିର୍ଦ୍ଦେଶନା ଶିଖିଥିଲେ । ଏ କ୍ଷେତ୍ରରେ ତାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ 25ଟି ଆୱାର୍ଡ ମିଳିଥିଲା । ସେ 2012ରେ ଗୁଲାବୀ ଗ୍ୟାଙ୍ଗରେ ନିର୍ଦ୍ଦେଶନା ଦେଇଥିଲେ । ଏଥିପାଇଁ ତାଙ୍କୁ 2014ରେ ସାମାଜିକ କ୍ଷେତ୍ରରେ ଜାତୀୟ ପୁରସ୍କାର ମିଳିଥିଲା । ସେହପରି 2006ରେ ଶେରଲେ ଅବ୍ରାହମ ଓ ଅମିତ ମହାଦେସିଆ ମାସ୍ କମ୍ୟୁନିକେସ ଅଧ୍ୟୟନ କରିବା ପରେ ଅନେକ ଅନ୍ତର୍ଜାତୀୟ ସିରିଜ୍ ପ୍ରୋଜେକ୍ଟରେ କାମ କରିଥିଲେ । ତାଙ୍କର ଡକ୍ୟୁମେଣ୍ଟାରୀ ସିନେମା ଟ୍ରାଭେଲର୍ସ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା । କାନ୍ସ ବ୍ୟତୀତ ତାଙ୍କ ଚଳଚ୍ଚିତ୍ର ଟରୋଣ୍ଟୋ, ନ୍ୟୁୟର୍କ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ବହୁ ପ୍ରଶଂସା ଲାଭ କରିଛି । ଏହି ଚଳଚ୍ଚିତ୍ରଟି ଭାରତରେ ରାଷ୍ଟ୍ରପତିଙ୍କ ସ୍ବର୍ଣ୍ଣ ପଦକ ସମେତ 19 ଟି ପୁରସ୍କାର ପାଇଛି ।