ଚଣ୍ଡିଗଡ: ରବିବାର ଲୁଧିଆନା ସେଣ୍ଟ୍ରାଲ ଜେଲର 26 ଜଣ କଏଦୀ କୋରୋନା ପଜିଟିଭ ଥିବା ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି ଲୁଧିଆନା ମୁଖ୍ୟ ଚିକିତ୍ସା ଅଧିକାରୀ ରାଜେଶ କୁମାର ବାଗ୍ଗା । କୋରୋନା ପଜିଟିଭ ଜଣାପଡିବା ପରେ ସମସ୍ତ 26 କଏଦୀଙ୍କୁ ଜେଲ ଭିତରେ ଥିବା ଏକ ପୃଥକ ବ୍ୟାରେକକୁ ସ୍ଥାନାନ୍ତର କରାଯାଇଛି । ଯାହା ଦ୍ବାରା ଅନ୍ୟ କଏଦୀଙ୍କୁ ଏହି ସଂକ୍ରମଣରୁ ରକ୍ଷା କରାଯାଇ ପାରିବ ।
ଗତ ଜୁନ 9 ତାରିଖରେ କଏଦୀମାନଙ୍କୁ ସ୍ୱତନ୍ତ୍ର କୋଭିଡ ଜେଲରୁ ଲୁଧିଆନା ସେଣ୍ଟ୍ରାଲକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁଠାରେ ପୁନର୍ବାର କୋଭିଡ ପରୀକ୍ଷା ସମୟରେ ସେମାନେ ପଜିଟିଭ ଥିବା ଜଣାପଡିଥିଲା । ଏ ସମ୍ପର୍କରେ ଲୁଧିଆନା ଜେଲ ଅଧୀକ୍ଷକ ରାଜୀବ ଅରୋରା କହିଛନ୍ତି ଯେ, 32 ଜଣ କଏଦୀ ବ୍ରୋଷ୍ଟାଲ ଜେଲରେ କ୍ବାରେଣ୍ଟାଇନ ଅବଧି ଶେଷ କରିବା ପରେ ସେମାନଙ୍କୁ ସେଣ୍ଟ୍ରାଲ ଜେଲକୁ ଅଣାଯାଇଥିଲା। ପୂର୍ବରୁ ସେମାନଙ୍କ ରିପୋର୍ଟ ନେଗେଟିଭ ଥିବାବେଳେ, ବର୍ତ୍ତମାନ ପୁନର୍ବାର ପରୀକ୍ଷା ପରେ ସମସ୍ତ 32 ଜଣଙ୍କ ମଧ୍ୟରୁ 26 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସମସ୍ତ କଏଦୀଙ୍କୁ 14 ଦିନ ଧରି କ୍ବାରେଣ୍ଟାଇନ କରାଯାଇଛି।