ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଦୋଷୀଙ୍କୁ ଶନିବାର ଫାଶୀ ହେବା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବି ସସପେନ୍ସ ଜାରି ରହିଛି । ଏପରି ସ୍ଥିତିରେ ସୁପ୍ରିମକୋର୍ଟ ଦୋଷୀ ପବନ ଗୁପ୍ତାର ଆବେଦନକୁ ଖାରଜ କରିଦେଇଛନ୍ତି । ଘଟଣା ସମୟରେ ପବନ ନାବାଳକ ହୋଇଥିବା ଦର୍ଶାଇ କୋର୍ଟରେ ଅପିଲ କରିଥିବା ବେଳେ ଏହା ଖାରଜ ହୋଇଯାଇଛି ।
ଫାଶୀରୁ ବଞ୍ଚିବା ପ୍ରାଇଁ ନିର୍ଭୟା ଦୋଷୀଙ୍କ ପାଖରେ ସମସ୍ତ ରାସ୍ତା ପ୍ରାୟତଃ ବନ୍ଦ ହୋଇସାରିଛି । ଘଟଣା ସମୟରେ ପବନ ନାବାଳକ ହୋଇଥିବା କହି ପୁଣି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ସେ ସୁପ୍ରିମକୋର୍ଟରେ ସ୍ପେଶାଲ ଲେବଲ ପିଟିସନ ଦାଖଲ କରିଥିଲା । ଦିଲ୍ଲୀ ହାଇକୋର୍ଟ 19 ଡିସେମ୍ବର ରାୟକୁ ଚ୍ୟାଲେଞ୍ଜ କରି ଏହି ପିଟିସନ ଦାଖଲ ହୋଇଥିଲା । ତେବେ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ପବନର ଏହି ଅପିଲକୁ ଖାରଜ କରି ସାରିଥିଲେ ।
ଅନ୍ୟପକ୍ଷେ ନିର୍ଭୟା ଦୋଷୀଙ୍କୁ ଫେବୃଆରୀ 1ରେ ହେବାକୁ ଥିବା ଫାଶୀଦଣ୍ଡ ଉପରେ ରହିତାଦେଶ ଜାରି କରିବାକୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଗୁରୁବାର ଆବେଦନ ହୋଇଥିଲା । ଆବେଦନ ଉପରେ ଶୁକ୍ରବାର କୋର୍ଟରେ ଶୁଣାଣି ହୋଇଥିବା ବେଳେ ଏହାର ରାୟ ସଂରକ୍ଷିତ ରହିଛି । କିଛି ସମୟ ପରେ କୋର୍ଟରୁ ରାୟ ଆସିବା ନେଇ ସମ୍ଭାବନା ରହିଛି ।