ନୂଆଦିଲ୍ଲୀ: କୋରୋନା ଯୋଗୁଁ ସାରା ଦେଶରେ ଆତଙ୍କ ଜାରି ରହିଛି । ରାଜଧାନୀ ଦିଲ୍ଲୀରେ ଏହି ମହାମାରୀ ନିଜ ପ୍ରକୋପ ଦେଖାଇଛି । ଏପର୍ଯ୍ୟନ୍ତ ଏଠାରେ 500ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 9 ଜଣଙ୍କର ମୃତ୍ୟୁ ହୋଇସାରିଛି ।
ତେବେ ଦିଲ୍ଲୀ ପାଇଁ ଅଧିକ ମାରାତ୍ମକ ସାଜିଛି ନିଜାମୁଦ୍ଦିନ ମର୍କାଜର ସମାବେଶ । ଏଠାରୁ 331 ଲୋକ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଏମାନେ ସମସ୍ତେ ପ୍ରଥମେ ଲୁଚି ରହିଥିବାବେଳେ ଦିଲ୍ଲୀ ପୋଲିସ ଧରି କ୍ବାରେଣ୍ଟାଇନରେ ରଖିଛି । ତେବେ ଏହି ଘଟଣା ପରେ ସରକାର ଅଧିକ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦିଲ୍ଲୀର 20ଟି ଜାଗାକୁ କୋରୋନା ହଟ ସ୍ପଟ ଭାବେ ଚିହ୍ନଟ କରାଯାଇଛି । ଏହିସବୁ ଜାଗାରେ କୋରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଏଠାରେ ଏହି ଭୂତାଣୁ ସଂକ୍ରମିତ ବ୍ୟକ୍ତି ବସବାସ କରୁଥିଲେ ।
ଏହାସହ ନିକଟରେ କିଛି ପଜିଟିଭ କେସ ବାହାରିବା ପରେ ସଦର ଅଞ୍ଚଳକୁ ମଧ୍ୟ ସିଲ କରିଛି ପୋଲିସ । ହଟ ସ୍ପଟ ଘୋଷିତ ଅଞ୍ଚଳକୁ କେହି ବାହାରୁ ଆସିପାରିବେନି । ଏହାସହ ଏହି ଅଞ୍ଚଳରୁ ମଧ୍ୟ କୌଣସି ଲୋକଙ୍କୁ ବାହାରକୁ ଯିବାର ଅନୁମତି ନାହିଁ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି । ତେବେ ଏହି ହଟ ସ୍ପଟ ଅଞ୍ଚଳବାସୀଙ୍କୁ ଆତଙ୍କିତ ନହେବାକୁ ସେ ଅନୁରୋଧ କରିଛନ୍ତି । ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏହି ସମୟରେ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି । କୌଣସି ଗୁଜବ ବା ମିଥ୍ୟା ଖବରରେ ବିଶ୍ବାସ ନକରିବାକୁ ପରାମର୍ଶ ଦେଇଛନ୍ତି ସିସୋଦିଆ ।
ସୌଜନ୍ୟ@ANI