ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଦିନକୁ ଦିନ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଯୋଗୀ ଆଦିତ୍ୟନାଥଙ୍କ ସରକାରର 2ଜଣ ବରିଷ୍ଠ ମନ୍ତ୍ରୀ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ଉତ୍ତରପ୍ରଦେଶ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାଜେନ୍ଦ୍ର ପ୍ରତାପ ସିଂ, ତାଙ୍କ ପତ୍ନୀ, ପୁଅ, ବୋହୂ ଏବଂ ନାତି ନାତୁଣୀ ସମସ୍ତେ କୋରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ମନ୍ତ୍ରୀ ଏବଂ ତାଙ୍କ ପରିବାରଲୋକଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ତେବେ କୋରୋନାରେ ଆକ୍ରାନ୍ତ ହୋଇଥିବା ଦ୍ୱିତୀୟ ମନ୍ତ୍ରୀ ହେଉଛନ୍ତି ଆୟୁଷ ମନ୍ତ୍ରଣାଳୟର ମୁଖ୍ୟ ଧରମ ସିଂ ସାଇନି। ମନ୍ତ୍ରୀ ଧରମ ସିଂହଙ୍କୁ କାଶ ସମସ୍ୟା ହେବାରୁ ତାଙ୍କର କୋରୋନା ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ତାଙ୍କୁ ପିଲାଖନୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେପଟେ ତାଙ୍କ ସଂସ୍ପର୍ଶରେ ଆସିଥିବା 27 ଜଣ ବ୍ୟକ୍ତିଙ୍କ ନମୁନା ପରୀକ୍ଷଣ ପାଇଁ ପଠାଯାଇଛି।
ଅନ୍ୟପକ୍ଷରେ ରାଜ୍ୟର ବିରୋଧୀ ଦଳର ନେତା ତଥା ସମାଜବାଦି ପାର୍ଟିର ବିଧାୟକ ରାମ ଗୋବିନ୍ଦ ଚୌଧୁରୀ ମଧ୍ୟ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କୁ ଏସଜିପିଜିଆଇଏମଏସରେ ଭର୍ତ୍ତି କରାଯାଇଛି । ସେ ଜଣେ ହୃଦ୍ରୋଗୀ ହୋଇଥିବାରୁ ତାଙ୍କୁ ଅମ୍ଳଜାନ ସହାୟତାରେ ଚିକିତ୍ସା କରାଯାଉଛି ।