ସିମଲା: ଉତ୍ତର ଭାରତର ଅନେକ ରାଜ୍ୟରେ ତୁଷାରପାତ ଦେଖିବାକୁ ମିଳିଛି । ପ୍ରବଳ ତୁଷାର ପାତ କାରଣରୁ ସେଠାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଖାସ କରି ହିମାଚଳ ପ୍ରଦେଶର ମନାଲୀ, ସିମଲା, ଚମୋଲୀକୁ ଯାଉଥିବା ପର୍ଯ୍ୟଟକ ବ୍ୟାପକ ଭାବେ ସମସ୍ୟାରେ ପଡ଼ୁଥିବା ଦେଖିବାକୁ ମିଳିଛି । ତେବେ କୁଲ୍ଲୁ ଜିଲ୍ଲାରେ ପ୍ରବଳ ତୁଷାର ପାତ କାରମରୁ ଶତାଧିକ ଗାଡ଼ି ଗୁଡ଼ିକ ରାସ୍ତାରେ ଅଟକି ରହିଥିବା ଦେଖିବାକୁ ମିଳିଛି ।
ଗତ ସୋମବାର କୁଲ୍ଲୁରେ ପ୍ରବଳ ତୁଷାରପାତ କାରଣରୁ ରୋହତାଙ୍ଗ ପାସ ନିକଟରେ ରାଜପଥ ଉପରେ ପ୍ରବଳ ମାତ୍ରାରେ ବରଫ ଜମା ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଯାତାୟତ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ସେହି ରାସ୍ତା ଦେଇ ଯାଉଥିବା ପର୍ଯ୍ୟଟକ, ରାଜ୍ୟ ପରିବହନ ଏବଂ କିଛି ବେସରକାରୀ ବସ ଓ ଯବାନଙ୍କ ଗାଡ଼ି ଉକ୍ତ ଜାମରେ ଫସି ରହିଥିଲା । ଉକ୍ତ ରାସ୍ତା ଦେଇ ଯାଉଥିବା ପାଖାପାଖି 150ରୁ ଅଧିକ ଗାଡ଼ି ଫସି ରହିଥିଲା ।
ତେବେ ଏ ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ଥାନାର ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯବାନଙ୍କ ସହାୟତାରେ ଯାତାୟତକୁ ସ୍ବାଭାବିକ କରିବାକୁ ପ୍ରୟାସ କରିଥିଲେ । ସେଠାରେ ଥିବା ଯବାନ ଓ ପୋଲିସ କର୍ମଚାରୀ ରାସ୍ତାରୁ ବରଫ ଉଠାଇବା ସହିତ ଗାଡ଼ିକୁ ଯିବା ଆସିବା କରିବା ପାଇଁ ପ୍ରୟାସ କରିଥିଲେ । ସୋମବାର ସନ୍ଧ୍ୟା ସୁଦ୍ଧା ଉକ୍ତ ରାସ୍ତା ଦେଇ ଯାତାୟତ ସ୍ବାଭାବିକ ହୋଇଥିବା ଜଣାପଡ଼ିଛି ।
ସୂଚନା ଯୋଗ୍ୟ ହିମାଚଳ ପ୍ରଦେଶର ପର୍ଯ୍ୟଟନସ୍ଥଳୀ ରୋହତାଙ୍ଗ ପାସ ଏବଂ ମନାଲୀରେ ବିଗତ 3 ଦିନ ହେବ ପ୍ରବଳ ମାତ୍ରାରେ ତୁଷାରପାତ ଜାରି ରହିଛି । ଫଳରେ ଉକ୍ତ ସ୍ଥନରେ ପାଣିପାଗ ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି । ସେପଟେ ରୋହତାଙ୍ଗ ପାସ ଏବଂ ମନାଲୀରେ ହେଉଥିବା ବରଫପାତ କାରଣରୁ ଯାତାୟତ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ।