ହାଇଦ୍ରାବାଦ: ସେପ୍ଟମ୍ବରରେ 100ଦିନ ପୂରଣ କରିବ ମୋଦି 2.0 । ଚଳିତ ବର୍ଷର ରୌଦ୍ରାତାପରେ ପ୍ରଚଣ୍ଡ ବହୁମତ ସହ ପୁଣି ଥରେ କ୍ଷମତା ହାତେଇଛି ବିଜେପି । ଦ୍ବିତୀୟଥର ଭୋଟ ଦେଇ ମୋଦିଙ୍କୁ ଜିତାଇଥିବାରୁ ଜନତାଙ୍କ ଆଶା, ଆକାଂକ୍ଷା ମଧ୍ୟ କାହିଁରେ କଣ । ତେବେ ଏହି 100ଦିନରେ ଦେଶର ମେରୁଦଣ୍ଡ ସୁଦୃଢ ପାଇଁ କଣ ଥିଲା ସରକାରଙ୍କ ଏଜେଣ୍ଡା ? ସାମ୍ନାରେ କେଉଁସବୁ ଚ୍ୟାଲେଞ୍ଜ ଓ କଣ ଉପଲବ୍ଧି ରହିଛି ? ପଢନ୍ତୁ ପୂରା ରିପୋର୍ଟ କାର୍ଡ ..
2019 ମେ 30ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ ଇନିଂସ ଆରମ୍ଭ ହୋଇଥିଲା । ତେବେ କାର୍ଯ୍ୟଭାର ସମ୍ଭାଳିବା କ୍ଷଣି ଆଗରେ ବାଟ ଓଗାଳିରଖିଥିଲା ଆର୍ଥିକ ଅନିଶ୍ଚିତତା । ଗୋଟିଏ ପଟେ ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ(ଏନବିଏଫସି) ଓ ଆଇଏଲଏଣ୍ଡଏଫଏସ ପତ୍ତନ ପରେ ବଜାର ମାନ୍ଦାବସ୍ଥା ଅନ୍ୟପଟେ ରାଷ୍ଟ୍ରାୟତ ବ୍ୟାଙ୍କର ବର୍ଦ୍ଧିତ ଋଣ ଭାର । ଏଭଳି ବହୁ ସମସ୍ୟର ସାମ୍ନା କରି ସେଥିରୁ ମୁକୁଳିବାକୁ ରାସ୍ତା ବାହାର କରିଛନ୍ତି ସରକାର ।
ବଜାରକୁ ପସନ୍ଦ ଆସିଲାନି ବଜେଟ
2019-20 ଆର୍ଥିକ ବର୍ଷର ବଜେଟରେ ନାଖୁସ ଥିଲା ପୁଞ୍ଜି ବଜାର । ଗୋଟିଏ ପଟେ ବ୍ୟାପର ଯୁଦ୍ଧ ଚିନ୍ତା ଅନ୍ୟପଟେ ବାଜିରେ ଲାଗିଥିଲା ବିଶ୍ବ ଆର୍ଥିକ ସ୍ଥିରତା । କୃଷି ସଙ୍କଟ ମଧ୍ୟ ଦ୍ରୁତ ବେଗରେ ବଢୁଥିଲା । ସେପଟେ ଗ୍ରାମୀଣ ଆୟ ବୃଦ୍ଧି ଯେପରି ସରକାରଙ୍କ ପାଇଁ ଏକ ବିରାଟ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଏଥିମଧ୍ୟରେ ମୁଦ୍ରାନୀତି ଜରିଆରେ ଲିକ୍ୟୁଡିଟି ମୁଦ୍ଦାକୁ ସମାଧାନ ନେଇ ପ୍ରୟାସ ଜାରି ରହିଥିଲା । ଯେତେବଳେକି ରାଜକୋଷୀୟ ଅଭିବୃଦ୍ଧି ଶୂନ ରହିଥିଲା ଓ ବଜେଟରେ ନାଖୁସ ବଜାର ବି ବିଗିଡିଯାଇଥିଲା ।
ଧିମା ଅର୍ଥବ୍ୟବସ୍ଥା
ଦ୍ବିତୀୟ କାର୍ଯ୍ୟକାଳର ପ୍ରାୟ 3 ମାସ ପରେ ସାମ୍ନାରେ ବଡ ଆର୍ଥିକ ମାନ୍ଦାବସ୍ଥା । ଅଣାୟତ ଅଟୋମୋବଇଲ ଓ ଏଫଏମସିଜି ସେକ୍ଟରରେ ଭାରୀ କ୍ଷତି ସରକାରଙ୍କ ସ୍ବପ୍ନ ପୂରଣର ବଡ ବାଧକ ହୋଇ ଠିଆହୋଇଛି । ଚଳିତ ବର୍ଷ ଏପ୍ରିଲରୁ ଅଗଷ୍ଟରେ ମଧ୍ୟରେ ଅଟୋମୋବଇଲ ଉଦ୍ୟୋଗ 3,50,000 ଶ୍ରମିକଙ୍କୁ ଛଟେଇ କରିଛି । ସେହିପରି ଅଭିବୃଦ୍ଧିର ବଡ ଉତ୍ସ ଏଫଏମସିଜି ଏହି ଅବଧିକାଳ ମଧ୍ୟରେ ମାତ୍ର 10 ପ୍ରତିଶତ ହାରରେ ବଢିଛି ।
ଜିଏସଟି ପ୍ରହାର, କମିଲା ପାର୍ଲେଜି ଚାହିଦା
ଦେଶର ସର୍ବବୃହତ୍ ବିସ୍କୁଟ ନିର୍ମାତା କମ୍ପାନୀ ପାର୍ଲେଜି । ହେଲେ ମାନ୍ଦା ଅର୍ଥନୀତି ପ୍ରଭାବରେ କମ୍ପାନୀର ଚାହିଦା ଭାରୀ ମାତ୍ରାରେ ହ୍ରାସ ପାଇଛି । ଆଉ ଏହାର କାରଣ ହେଉଛି ଜିଏସଟି । ଫଳରେ ଦିନେ ଗ୍ରାହକଙ୍କ ଚାହିଦା ମେଣ୍ଟାଇପାରୁନଥିବା ପାର୍ଲେଜି ବିକ୍ରି ହୋଇନପାରି କ୍ଷତି ସହୁଛି । ଏଥିଯୋଗୁଁ କମ୍ପାନୀ ପ୍ରାୟ 10 ହଜାର କର୍ମଚାରୀଙ୍କୁ କାଢିବାକୁ ବସିଛି । ଏଥିସହ ସାବୁନ, ମସଲା, ପକେଟ ଚା ଭଳି ପ୍ରଡକ୍ଟ ବିକ୍ରି ଖସୁଛି । ବଡକଥା ହେଲା ଏସବୁ ପ୍ରଡକ୍ଟ ଭାରତର ମଧ୍ୟମ ବର୍ଗ ଓ କମ ଆୟକାରୀ ଶ୍ରେଣୀର ଉପଯୋଗୀତା ଉପରେ ନିର୍ଭର କରିଥାଏ । ଅର୍ଥାତ ଏସବୁ ଶ୍ରେଣୀ ହିଁ ଏଭଳି ପ୍ରଡକ୍ଟକୁ ଅଧକ ମାତ୍ରାରେ ବ୍ୟବହାର କରିଥାନ୍ତି । ଆଉ ବର୍ତ୍ତମାନର ସ୍ଥିତିରୁ ସ୍ପଷ୍ଟ ଯେ ଉପଭୋକ୍ତା ଏବେ ଟଙ୍କା ଖର୍ଚ୍ଚ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଏସବୁ ଆର୍ଥିକ ବିକାଶ ପାଇଁ ଶୁଭ ସଙ୍କେତ ନୁହେଁ । କାରଣ ଏହା ଦ୍ବାରା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ ।
ଜିଡିପି ହ୍ରାସ
ସମସ୍ୟାର ତୀବ୍ରତା ଏତେ ମାତ୍ରାରେ ବଢିଯାଇଛି ଯେ, ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୟମାସର ଜିଡିପି 5 ପ୍ରତିଶତକୁ ଛୁଇଁଛି । ଯାହାକି 6 ବର୍ଷର ସର୍ବନିମ୍ନ ରେକର୍ଡ । ଏହା ଆଗରୁ ଜାନୁଆରୀରୁ ମାର୍ଚ୍ଚ ଜିଡିପି 5.8 ପ୍ରତିଶତ ଥିଲା । ଫଳରେ ଭାରତ ଅର୍ଥନୀତି ରାଙ୍କରେ ସପ୍ତମ ସ୍ଥାନକୁ ଖସି ଆସିଛି।
ଆକ୍ସନମୋଡରେ ସରକାର
ଭାରତ ସରକାର ଏଭଳି ସ୍ଥିତିକୁ ଦୂର କରିବା ପାଇଁ ବହୁ ନୂଆ ଉପାୟ ସହ ଆସିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ସାମ୍ବାଦିକ ସମ୍ମିଳନୀ ଜରିଆରେ ବହୁ ନୂଆ ଘୋଷଣା କରିଛନ୍ତି । ଯେଉଁଥିରେ ଆଞ୍ଜେଲା ଟିକସ, ଷ୍ଟାର୍ଟଅପ ଟିକସ ସମସ୍ୟା ପାଇଁ ସ୍ବତନ୍ତ୍ର ସେଲ , ଘରୋଇ ଏବଂ ବିଦେଶୀ ନିବେଶକଙ୍କ ଉପରୁ ବର୍ଦ୍ଧିତ ସରଚାର୍ଜକୁ ପ୍ରତ୍ୟାହାର ଆଦି ସାମିଲ ଥିଲା । ଏଥିସହ ଋଣ କ୍ଷମତା ବୃଦ୍ଧି ଲାଗି ରାଷ୍ଟ୍ରାୟତ ବ୍ୟାଙ୍କକୁ 70 ହଜାର କୋଟି ଟଙ୍କା ଅଗ୍ରୀମ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ହୋହରାଇଛନ୍ତି ଅର୍ଥମନ୍ତ୍ରୀ। ଏହା ବ୍ୟାତିତ ଅଟୋ ସେକ୍ଟରକୁ ଗତିଶୀଳ କରିବା ଲାଗି 2020 ମାର୍ଚ୍ଚ ପର୍ଯ୍ୟନ୍ତ ବିଏସ-4 ଯାନବାହନ କ୍ରୟ ଓ ପଞ୍ଜୀକରଣ ଚାଲୁ ରଖିବାକୁ ଘୋଷଣା କରିଛନ୍ତି ।
ସେହିପରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକର ବକେୟା ଥିବା ସମସ୍ତ ଦ୍ରବ୍ୟ ଓ ସେବା କର(ଜିଏସଟି) ରିଫଣ୍ଡକୁ 30ଦିନ ଭିତରେ ଦେବାକୁ ସୀତାରମଣ ପ୍ରତଶ୍ରୁତି ଦେଇଛନ୍ତି । ଏଥିସହ ଆଗାମୀ ଦିନରେ ସବୁ ଜିଏସଟି ରିଫଣ୍ଡକୁ 60ଦିନ ଭିତରେ ଦେବାକୁ କହିଛନ୍ତି । ଏସବୁ ପଦକ୍ଷେପ ଘରୋଇ ଇକ୍ୟୁଟି ବଜାରକୁ ପ୍ରୋତ୍ସାହିତ କରିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଆର୍ଥିକ ସୁଧାର ଦିଗରେ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଆୟକର ରିଟର୍ଣ୍ଣ ଭରିବା ପୂର୍ବ ଅପେକ୍ଷା ସରଳ ହୋଇଛି ।
ଶକ୍ତ ଟିଡିଏସ ବ୍ୟବସ୍ଥା, ଆଧାର ଓ ପାନ ନିୟମରେ କଡା ଆଭିମୁଖ୍ୟ, ଡିଜିଟାଲ କାରବାରକୁ ପ୍ରୋତ୍ସାହନ ପାଇଁ କୋଟିଏରୁ ଉର୍ଦ୍ଧ୍ବ ନଗଦ ଉଠାଣ ଉପରେ ଟିଡିଏସ କାଟ, ବ୍ୟାଙ୍କ ଓ ଏଫଆଇ କ୍ଷୁଦ୍ର ନେଣଦେଣ ଉପରେ ବି ଫୋକସ ଦେବା , ସୁଧହାର ଶସ୍ତା ଆଦି ବହୁ ନୂଆ ଘୋଷଣା ହୋଇଛି ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳର 100 ଦିନରେ ।
ଏହା ପରେ ଦ୍ବିତୀୟ ପ୍ରେସ ମିଟରେ ମଧ୍ୟ ନିର୍ମଳା ବହୁ ବଡ ଘୋଷଣା କରିଛନ୍ତି । ଦେଶର 10 ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ କରି 4 ବୃହତ୍ତ ବ୍ୟାଙ୍କ ନେଇ କହିଛନ୍ତି । ଏହା ବ୍ୟତୀତ ପିଏସବି ବୋର୍ଡ ସୁଧାର ପାଇଁ ମଧ୍ୟ ଘୋଷଣା କରିଛନ୍ତି ।
ତେବେ ଆଗାମୀ ଦିନରେ ଗ୍ରାମୀଣ ବିକାଶ ଅଭିବୃଦ୍ଧି ଓ କୃଷି ଭିତ୍ତିଭୂମିକୁ ମଜବୁତ ପାଇଁ ଜୋର ଦିଆଯିବା ଆବଶ୍ୟକ । ମାନ୍ଦା ଅର୍ଥବ୍ୟବସ୍ଥା ଭିତରେ ରାଜକୋଷୀୟ ଘାଟା କମାଇବାକୁ ସାର୍ବଜନୀନ ବ୍ୟୟ ବୃଦ୍ଧି ଆବଶ୍ୟକ । ଦୀର୍ଘ ସମୟ ଧରି ନୀତି ନିର୍ମାତାଙ୍କ ଆୟ ଅସମନାତା ସମସ୍ୟାର ସମାଧାନ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଦରକାର । ବିଭିନ୍ନ ସଂସ୍କାର ଦ୍ବାରା ଦେଶ ପୁଣି ଥରେ ଟ୍ରାକକୁ ଫେରିଆସିବା ସହ ଆସନ୍ତା 5 ବର୍ଷରେ 5 ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ବପ୍ନ ସ୍ପର୍ଶ ନେଇ ଆଶା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ