ଭୁବନେଶ୍ବର: ନୀରବିଗଲା ନିହାଣ । ନିଶବ୍ଦ ଆଜି ହାତୁଡିର ଠକ୍ ଠକ୍ ଶବ୍ଧ । ପରିକଳ୍ପନାରେ ପଡିଗଲା ପୂର୍ଣ୍ଣଛେଦ । ଆଉ ଅଧାରେ ରହିଗଲା ସ୍ବପ୍ନ । ସେହି ସ୍ବପ୍ନ ଯାହା ଦିନେ ଆଗାମୀ ପୀଢି ପାଇଁ ବଞ୍ଚାଇ ରଖିଥାନ୍ତା ଉତ୍କଳୀୟ କଳା ଭାସ୍କର୍ଯ୍ୟର ଅନନ୍ୟ ନିଦର୍ଶନ ବହନ କରୁଥିବା କୋଣାର୍କର ଅସ୍ତିତ୍ବ । ଉଦ୍ଭାସିତ ହୋଇଥାନ୍ତା ଅବିକଳ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଏବଂ ପୂର୍ବପୁରୁଷଙ୍କ କଳାନୈପୁଣ୍ୟ । ସ୍ବପ୍ନ ସାକାର ହେବା ପୂର୍ବରୁ ଆରପାରିକୁ ଚାଲିଯାଇଛନ୍ତି ଶିଳ୍ପୀଗୁରୁ ରଘୁନାଥ ମହାପାତ୍ର ।
ମହ୍ଲାର ସମ୍ମାନାଧିକାରୀ ରଘୁନାଥ ମହାପାତ୍ର, ଯାହାଙ୍କ ନିହାଣ ମୁନ ସ୍ପର୍ଶରେ ପଥର ଦେହରେ ଜୀବନ୍ତ ହୋଇଉଠୁଥିଲା ନିଖୁଣ କାରୁକାର୍ଯ୍ୟ । ହାତୁଡ଼ିର ପାହାରରେ ସତେ ଯେମତି କଥା କହୁଥିଲା ନିର୍ଜୀବ ପଥର । ଯିଏ ଦିନେ ବିଶୁ ମହାରଣା ସାଜି ଦ୍ବିତୀୟ କୋଣାର୍କର ପରିକଳ୍ପନାକୁ ରୂପ ଦେଇଥାନ୍ତେ, ସେ ଆଜି ବୈଶାଖର ଅପରାହ୍ନରେ ବାହୁଡିଯାଇଛନ୍ତି । କୋରୋନା ଯୁଦ୍ଧରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଚିରନିଦ୍ରାରେ ଶୋଇଯାଇଛନ୍ତି ରାଜ୍ୟସଭା ସାଂସଦ ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ।
୧୯୪୩, ମାର୍ଚ୍ଚ ୨୩ ତାରିଖ ଶ୍ରୀକ୍ଷେତ୍ର ପୁରୀର ପଥୁରିଆ ସାହିରେ ରଘୁନାଥ ମହାପାତ୍ରଙ୍କ ଜନ୍ମ । ପିଲାଟି ବେଳୁ ପଥର ଥିଲା ରଘୁନାଥ ମହାପାତ୍ରଙ୍କ ପାଇଁ ସିଲଟ ଆଉ ନିହାଣ ଥିଲା ତାଙ୍କ ହାତର କଲମ । ଶିଳ୍ପୀ ହେବାର ସ୍ବପ୍ନ ତାଙ୍କୁ ଦେଖାଇଥିଲା ସ୍ଥପତିର ରାସ୍ତା । ପାଠ ପଢା ଛାଡି ପଥରରେ ମୂର୍ତ୍ତି ଗଢିବା ଆରମ୍ଭ କରିଦେଇଥିଲେ ରଘୁନାଥ ।
୧୮ ବର୍ଷ ବୟସରେ ରଘୁନାଥ ମହାପାତ୍ର ପୁରୀ ଛାଡ଼ି ଚାଲିଆସିଥିଲେ ରାଜଧାନୀ ଭୁବନେଶ୍ବର । ସେବେଠୁ ଆଉ ସେ ପଛକୁ ଫେରି ଚାହିଁନଥିଲେ । ନିଜ ହାତର ସ୍ପର୍ଶରେ ପଥରକୁ ଦେଇଚାଲିଲେ ଜୀବନ । ଆଉ ତୋଳିଲେ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର । ଦେଶ ବିଦେଶରେ ଅନେକ ମନ୍ଦିର ନିର୍ମାଣ କରିଛନ୍ତି ରଘୁନାଥ । ପାରମ୍ପରିକ କଳା ସଂସ୍କୃତି ଆଧାରିତ ପ୍ରସ୍ତର ମୂର୍ତ୍ତି ନିର୍ମାଣ ଓ ମନ୍ଦିର ସ୍ଥାପତ୍ୟ କ୍ଷେତ୍ରରେ ସେ ହାସଲ କରିଥିଲେ ନିପୂଣତା ।
ବାଲେଶ୍ବରରେ ଶ୍ରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ବର ମାଷ୍ଟରକାଣ୍ଟିନ ଛକ ଆଉ କଟକ ବାରବାଟୀ ଷ୍ଟାଡିଅମରେ କୋଣାର୍କ ଘୋଡ଼ା, ଭୁବନେଶ୍ବର ବିମାନବନ୍ଦରରେ ୧୬ଟି କୋଣାର୍କ ଚକ୍ର, ଟିଟଲାଗଡ଼ରେ ୭୦ଫୁଟ ଉଚ୍ଚତାର ୩ଟି ମନ୍ଦିର, ଗଞ୍ଜାମର ନୂତନ ତାରାତାରିଣୀ ମନ୍ଦିରର ନିର୍ମାଣ, ସଂସଦରେ ସ୍ଥାପିତ ୫ଫୁଟ ଉଚ୍ଚତା ବିଶିଷ୍ଟ ସୂର୍ଯ୍ୟ ନାରାୟଣ ମୂର୍ତ୍ତି, ରାଜୀବ ଗାନ୍ଧୀଙ୍କ ସମାଧି ପୀଠ, ନୂଆଦିଲ୍ଲୀ ଅଶୋକା ହୋଟେଲରେ ୧୪ଫୁଟ ଉଚ୍ଚତାର କୋଣାର୍କ ଚକ୍ର, ଧଉଳିରେ ୨ଟି ବୌଦ୍ଧ ମୂର୍ତ୍ତି, ଲଦାଖରେ ୨୦ଫୁଟ ଉଚ୍ଚତା ବିଶିଷ୍ଟ ୩ଟି ବୌଦ୍ଧ ମୂର୍ତ୍ତି, ଫ୍ରାନ୍ସରେ କାଠର ବିଶାଳ ବୌଦ୍ଧ ମୂର୍ତ୍ତି, ଜାପାନରେ ୧୫ଫୁଟ ଉଚ୍ଚତାର ଅଶୋକ ସ୍ତମ୍ଭ ରଘୁନାଥଙ୍କ ଭାସ୍କର୍ଯ୍ୟର ଅନନ୍ୟ କୀର୍ତ୍ତି ।
ଖୁବ କମ ବୟସରୁ ପ୍ରତିଷ୍ଠାଲାଭ କରିଥିଲେ ରଘୁନାଥ ମହାପାତ୍ର । ଆଉ ନିଜ ନାଁରେ ନାମିତ କରିଥିଲେ ଅନେକ ସମ୍ମାନ । ୧୯୭୫ରେ ତାଙ୍କୁ ପଦ୍ମଶ୍ରୀ ଓ ୨୦୦୧ରେ ପଦ୍ମ ଭୂଷଣ ଉପାଧିରେ ସମ୍ମାନିତ କରାଯାଇଥିଲା । ୨୦୧୩ରେ ରଘୁନାଥଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ ପୁରସ୍କାର । 14 ଜୁଲାଇ ୨୦୧୮ରେ ରଘୁନାଥଙ୍କୁ ରାଜ୍ୟସଭାକୁ ମନୋନିତ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଜାତୀୟ ପୁରସ୍କାର ସହ ଶିଳ୍ପୀଗୁରୁ, ଭରତମୁନି ଓ ମହ୍ଲାର ସମ୍ମାନରେ ମଧ୍ୟ ସମ୍ମାତିତ ରଘୁନାଥ ।
ରଘୁନାଥ କହୁଥିଲେ ଯେ ଶିଳ୍ପକଳାରେ କିଛି ନୂଆ କରିବାର ପ୍ରେରଣା ତାଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରୁ ମିଳୁଥିଲା । ଉତ୍କଳର କଳା ସ୍ଥାପତ୍ୟକୁ ଭଲ ପାଉଥିବା ରଘୁନାଥଙ୍କୁ ବ୍ୟଥିତ କରୁଥିଲା ବାରଶହ ବଢ଼େଇଙ୍କ ତ୍ୟାଗ, ତପସ୍ୟା ଓ ଧର୍ମପଦର ବଳିଦାନରେ ନିର୍ମିତ କୋଣାର୍କର ବର୍ତ୍ତମାନ ଭଗ୍ନ ରୂପ । ରାଜ୍ୟ ସରକାର ପ୍ରାଚୀନ କୀର୍ତ୍ତିରାଜିଗୁଡିକୁ ସୁରକ୍ଷା ଦେଇ ପାରୁ ନଥିବା ସମୟରେ ଉତ୍କଳର କାରୁକାର୍ଯ୍ୟକୁ ବଞ୍ଚାଇବା ପାଇଁ ମନବଳାଇଥିଲେ ରଘୁନାଥ । ଆଉ ସେଥିପାଇଁ ତାଙ୍କ ମନରେ ଉଦ୍ରେକ ହୋଇଥିଲା ଆଉ ଏକ ଭବ୍ୟ କୋଣାର୍କ ନିର୍ମାଣର ସ୍ବପ୍ନ । ଏହି ସ୍ବପ୍ନକୁ କେବଳ ମନରେ ନରଖି ମାଟି ଉପରେ ତୋଳିବାକୁ ରଘୁନାଥ ଆରମ୍ଭ କରିଦେଇଥିଲେ ପ୍ରୟାସ ।
ରଘୁନାଥଙ୍କ ପକ୍ଷରୁ ପ୍ରସ୍ତାବିତ ଦ୍ବିତୀୟ କୋଣାର୍କ ପାଇଁ ଶୁଭ ଦିଆଯିବା ସହ ଆରମ୍ଭ ହୋଇଯାଇଥିଲା ନିର୍ମାଣ କାର୍ଯ୍ୟ । ସାକ୍ଷୀଗୋପାଳ ନିକଟରେ ୭୦ ଏକର ଜମି କିଣିଥିଲେ ମହାପାତ୍ର । ମନ୍ଦିର ନିମାର୍ଣ ପାଇଁ ରହିଥିଲା ୬୦୦ କୋଟିର ବ୍ୟୟଅଟକଳ । ହେଲେ ରଘୁନାଥଙ୍କ ବିୟୋଗରେ ଅଧା ରହିଗଲା ଶିଳ୍ପୀର ସ୍ବପ୍ନ । ତାଙ୍କ ବିୟୋଗ ଓଡିଶାର କଳା ସଂସ୍କୃତି କ୍ଷେତ୍ରରେ ଏକ ଅପୁରଣୀୟ କ୍ଷତି ।
କୋଣାର୍କର କାରୁକାର୍ଯ୍ୟ ଯେଉଁ ବିଶ୍ବକୁ ଆଜି ସ୍ତମ୍ଭୀଭୂତ କରୁଛି ତାହା ଦିନେ ରଘୁନାଥଙ୍କ ନିହାଣର ସୃଜନଶୀଳତାରେ ହୋଇଥାନ୍ତା ଆଶ୍ଚର୍ଯ୍ୟଚକିତ । ପଥରକୁ ଜୀବନ୍ତ କରୁଥିବା ରଘୁନାଥଙ୍କ ଜୀବନ ଯାତ୍ରାରେ ପୂର୍ଣ୍ଣଛେଦ ପଡିବା ପରେ ଶିଳ୍ପ, ସ୍ଥାପତ୍ୟ ସମାହାରରେ ବିଶ୍ବ ବିଦିତ କୋଣାର୍କର ଜରାଜୀର୍ଣ୍ଣ ରୂପକୁ ଆଉ ଏକ ସ୍ଥାନରେ ପୂନର୍ଜୀବୀତ କରିବାର ସ୍ବପ୍ନ କେବେ ପୂରଣ ହେବ ତାହା ଏବେ ଅନିଶ୍ଚିତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ