ବେଙ୍ଗାଲୁରୁ: ଗଣତନ୍ତ୍ର ମନ୍ଦିରରେ ମଦ । ବିଧାନ ସୌଧ ଭିତରେ ବିୟର ବୋତଲ । କର୍ଣ୍ଣାଟକ ବିଧାନ ସୌଧ ରାଜ୍ୟର ପ୍ରଶାସନିକ କେନ୍ଦ୍ର ଓ ଗଣତନ୍ତ୍ରର ମନ୍ଦିର ଭାବରେ ଗୌରବ ବହନ କରୁଛି । ଏହାର ନିଜର ସମ୍ମାନ ସହ ରହିଛି ପବିତ୍ରତା । ଆଉ ଏଠାରୁ ମିଳିଛି ବିୟର ବୋତଲ ।

ସୋମବାର କର୍ଣ୍ଣାଟକ ବିଧାନ ସୌଧଠାରେ ବିୟର ବୋତଲ ମିଳିଛି । କର୍ଣ୍ଣାଟକ ବିଧାନ ସୌଧରେ ଆଜିଠାରୁ 10 ଦିନିଆ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି | ବିଲ୍ଡିଂର ଦ୍ବିତୀୟ ମହଲାରେ ଦୁଇଟି ବିୟର ବୋତଲ ଦେଖିବାକୁ ମିଳିଛି । ଏହି ବୋତଲଗୁଡିକ କିଏ ଏଠାରେ ରଖିଛି ? କଡା ସୁରକ୍ଷା, ସିସିଟିଭି କ୍ୟାମେରା ଏବଂ ଯାଞ୍ଚ ସତ୍ତ୍ବେ ଏହି ବୋତଲଗୁଡିକ ବିଧାନ ସୌଧରେ କିପରି ପ୍ରବେଶ କଲା ? ଅସାମାଜିକ ବ୍ୟକ୍ତି ଏଠାରେ ମଦ୍ୟପାନ କରିଥିଲେ କି? ଏନେଇ ଉଠିଛି ଅନେକ ପ୍ରଶ୍ନ ।
ଜୁଲାଇ ଶେଷରେ ବିଏସ ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ବାସବରାଜା ବୋମାଇ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏବଂ ତାଙ୍କ ନୂତନ କ୍ୟାବିନେଟ ପାଇଁ ଏହା ପ୍ରଥମ ମୌସୁମୀ ଅଧିବେଶନ । ସେପ୍ଟେମ୍ବର 13 ରୁ 24 ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଅନୁଷ୍ଠିତ ହେବ।