ହାଇଦ୍ରାବାଦ: ବିବାହ ପାଇଁ ଚାପ ପକାଉଥିବାରୁ ନିଜ ପ୍ରେମିକାକୁ ଶେଷରେ ମରଣଯନ୍ତାକୁ ଠେଲିଲା ପ୍ରେମିକ । ଏଭଳି ଏକ ଘଟଣା ହାଇଦ୍ରାବାଦ ବଛୁପଲ୍ଲୀ ଅଞ୍ଚଳରେ ଦେଖିବାକୁ ମିଳିଛି । ଅଭିଯୁକ୍ତ ପ୍ରେମିକ ନିଜ ପ୍ରେମିକାକୁ ଏକ ଚଳନ୍ତା ଟ୍ୟାଙ୍କର ଆଗକୁ ଠେଲି ଦେବା ଫଳରେ ପ୍ରେମିକାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଯୋଜନାବଦ୍ଧ ଭାବେ ଯୁବକ ଜଣକ ନିଜ ପ୍ରେମିକାକୁ ହତ୍ୟା କରିଥିବା ପୋଲିସ କହିଛି ।
ପୋଲିସର କହିବା ଅନୁସାରେ ମୃତ ପ୍ରେମିକାଙ୍କ ନାମ ପ୍ରମିଳା ବୋଲି ଜଣାପଡ଼ିଛି । ଏହି ଯୁବତୀ ଜଣକ ବଛୁପଲ୍ଲୀରେ ଏକ ଦୋକାନରେ ସେଲ୍ସ ଗାର୍ଲ ଭାବେ କାମ କରୁଥିଲେ । ଯୁବତୀଙ୍କ ଘର କାମାରେଡ୍ଡି ଜିଲ୍ଲାର ନେମାଲଗୁଟ୍ଟା ଅଞ୍ଚଳରେ ବୋଲି କହିଛି ପୋଲିସ । ଯୁବତୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ସନ୍ଦେହ କରିଥିଲା । ହେଲେ ପରେ ଯାଞ୍ଚ ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଛି । ହତ୍ୟାକାରୀ କେହି ନୁହେଁ, ବରଂ ଯୁବତୀଙ୍କ ପ୍ରେମିକ ବୋଲି ପୋଲିସ କହିଛି ।
ଏହା ବି ପଢନ୍ତୁ- Delhi Crime: ବିବାହ ପ୍ରସ୍ତାବକୁ ମନାକଲା ପ୍ରେମିକା, ଲୁହା ରଡରେ ପିଟି ପିଟି ମାରିଦେଲା ପ୍ରେମିକ
ବଛୁପଲ୍ଲୀରେ ଏକ ମହିଳା ହଷ୍ଟେଲରେ ଯୁବତୀ ଜଣକ ରହୁଥିଲେ । ସେପଟେ ପ୍ରେମିକ ତିରୁପତି ମଧ୍ୟ କାମାରେଡ୍ଡି ଜିଲ୍ଲାର ହୋଇଥିବା ବେଳେ ହଫିଜପେଟ ଅଞ୍ଚଳରେ ରହୁଥିଲା । ସେଠାରେ ଜଣେ ଡ୍ରାଇଭର ଭାବେ କାମ କରୁଥିଲା । ଗତ 5 ମାସ ଧରି ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ । ତିରୁପତି ଅନେକ ସମୟରେ ପ୍ରମିଳାଙ୍କୁ ଭେଟିବା ଲାଗି ହଷ୍ଟେଲ ନିକଟକୁ ଯାଉଥିଲା । କିନ୍ତୁ ନିକଟରେ ଅଭିଯୁକ୍ତ ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା । ଏ ସମ୍ପର୍କରେ ପ୍ରମିଳା ଜାଣିବା ପରେ ସେ ବିବାହ ପାଇଁ ତିରୁପତି ଉପରେ ଚାପ ପକାଇ ଆସୁଥିଲେ ।
ହେଲେ ତିରୁପତି ପ୍ରମିଳାଙ୍କୁ ବିବାହ ପାଇଁ ଆଦୌ ଇଚ୍ଛୁକ ନଥିଲା । ସେପଟେ ପ୍ରମିଳାଙ୍କ ବିବାହ ପାଇଁ ଚାପ ପକାଉଥିବା ବେଳେ ସେ ଅତିଷ୍ଠ ହୋଇ ତାକୁ ରାସ୍ତାରୁ ସଫା କରିବାକୁ ଯୋଜନା କରିଥିଲା । ନିଜ ପୂର୍ବ ଯୋଜନା ଅନୁସାରେ ଆଜି(ରବିବାର) ପ୍ରମିଳାଙ୍କୁ ଭେଟିବା ଲାଗି ଡାକିଥିଲା । ଏହାପରେ ପ୍ରମିଳାଙ୍କ ସହିତ କଥାବାର୍ତ୍ତା ଝଗଡ଼ାରେ ପରିଣତ ହେବା ପରେ ଶେଷରେ ଚଳନ୍ତା ୱାଟର ଟ୍ୟାଙ୍କର ଆଗକୁ ପ୍ରମିଳାଙ୍କୁ ଠେଲି ଦେଇଥିଲା ।
ଫଳରେ ଘଟଣାସ୍ଥଳରେ ହିଁ ପ୍ରମିଳାଙ୍କ ମୃତ୍ୟୁ ଘଟିଥିଲା । ତେବେ ସଡ଼କ ଦୁର୍ଘଟଣା ଯୋଗୁଁ ପ୍ରମିଳାଙ୍କ ମୃତ୍ୟୁ ଘଟିଥିବା ପୋଲିସ ସନ୍ଦେହ କରିଥିଲା। ମାତ୍ର ସ୍ଥାନୀୟ ବାସିନ୍ଦାଙ୍କୁ ପଚରାଉଚରା କରିବା ସମୟରେ ପ୍ରମିଳାଙ୍କ ପ୍ରେମିକ ତାଙ୍କୁ ଟ୍ୟାଙ୍କର ଆଗକୁ ଠେଲି ଦେଇଥିବା ସ୍ଥାନୀୟ ଲୋକେ କହିଥିଲେ । ଏହାପରେ ପୋଲିସ ପ୍ରେମିକ ବିରୋଧରେ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି । ସେପଟେ ତିରୁପତି ଫେରାର ଥିବା ବେଳେ ପୋଲିସ ତାକୁ ଖୁବଶୀଘ୍ର କାବୁ କରିବ ବୋଲି କହିଛି ।