ଲକ୍ଷ୍ନୌ: ଗଣେଷ ପୂଜା ଦିନ କଲେଜ ଛାତ୍ରୀଙ୍କୁ ଗୁଳି କରି ହତ୍ୟା । ଉତ୍ତରପ୍ରଦେଶ ଲକ୍ଷ୍ନୌ ସ୍ଥିତ ଚିହ୍ନଟ ଥାନା ଅନ୍ତର୍ଗତ ବନାରସୀ ଦାସ କଲେଜର (BBD) ଜଣେ ଛାତ୍ରୀଙ୍କୁ ଦୟାଲ ରେସିଡେନ୍ସିରେ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଛାତ୍ରୀ ଜଣକ ହେଲେ ନିଷ୍ଠା ତ୍ରିପାଠୀ । ନିଷ୍ଠାଙ୍କ ବୟସ 23 ବର୍ଷ ହୋଇଥିବା ଜଣାପଡିଛି । ସେ ବିବିଡି କଲେଜରେ ବାଣିଜ୍ୟରେ ସ୍ନାତକ କରୁଥିଲେ ।
ସୂଚନା ଅନୁସାରେ, ଗଣେଶ ପୂଜା ପାଇଁ ବିବିଡି କଲେଜରେ ଗତ ବୁଧବାର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପରେ ନିଷ୍ଠାଙ୍କୁ ତାଙ୍କ ବନ୍ଧୁ ଆଦିତ୍ୟ ପାଠକ ଦୟାଲ ରେସିଡେନ୍ସିକୁ ନିମନ୍ତ୍ରଣ କରିଥିଲେ । ସେଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଜି କରାଯାଇଥିବାବେଳେ ପାର୍ଟିରେ ମଦର ଆସର ଜମିଥିଲା । ହେଲେ ହଠାତ୍ ପାର୍ଟି ମଝିରେ ଫୁଟିଥିଲା ଗୁଳି । ସେହି ଗୁଳିମାଡ଼ରେ ଟଳିପଡିଥିଲେ ନିଷ୍ଠା ତ୍ରିପାଠୀ ।
ଏହା ବି ପଢନ୍ତୁ...Ganesh Puja 2023: ଚାନ୍ଦାକୁ ନେଇ ଛୁରାମାଡ଼, 2 ଗୁରୁତର
ଗୁଳିକାଣ୍ଡ ପରେ ନିଷ୍ଠାଙ୍କ ସାଙ୍ଗ ସାଥୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଲୋହିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ହରଦୋଇରୁ ଆସି ପହଞ୍ଚିଥିଲେ ନିଷ୍ଠାଙ୍କ ପରିବାର । ଝିଅର ମୃତଦେହ ଦେଖିବା ପରେ କାନ୍ଦବୋବାଳିରେ ଫାଟି ପଡିଥିଲା ପରିବେଶ। ଝିଅର ହତ୍ୟା ପାଇଁ ସାଙ୍ଗସାଥୀଙ୍କୁ ଦାୟୀ କରିଛନ୍ତି ପରିବାର । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି।
ତେବେ ଏହି ମାମଲାରେ ପୋଲିସ ନିଷ୍ଠାଙ୍କ ବନ୍ଧୁ ଆଦିତ୍ୟ ପାଠକଙ୍କ ସମେତ ଆଉ ଜଣେ ଛାତ୍ରଙ୍କୁ ମଧ୍ୟ ଗିରଫ କରିଥିବା ଜଣାପଡିଛି । ରାତିରେ ଚାଲିଥିବା ପାର୍ଟି ସମୟରେ ଆଦିତ୍ୟଙ୍କ ସହ ଫ୍ଲାଟରେ ଉପସ୍ଥିତ ଥିବା ଅନ୍ୟ ଜଣେ ଛାତ୍ରଙ୍କୁ ଗିରଫ କରିବା ସହ ସେମାନଙ୍କୁ ପଚରାଉଚରା କରିଛି ପୋଲିସ । ନିଷ୍ଠାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ନିଷ୍ଠାଙ୍କ ଉପରକୁ ଗୁଳି ଚଳାଇଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଅପରପକ୍ଷେ, କଲେଜରେ ପଢୁଥିବା ଛାତ୍ରଙ୍କ ନିକଟରୁ ପିସ୍ତଲ କିପରି ଆସିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।