ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରତାପଗଢଠାରେ ପୂର୍ବରୁ ପ୍ରତିବନ୍ଧକ ଲଗାଯାଇଥିବା ଡ଼ଲଫିନ ଶିକାର ହୋଇଥିବା ଘଟଣା ସାମନାକୁ ଆସିଛି । ଶାରଦା କେନାଲରେ ଏକ ଡ଼ଲଫିନକୁ ଦେଖି ଗ୍ରାମବାସୀ ପିଟିପିଟି ଏହାର ଶିକାର କରୁଥିବା ସମୟର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓ ଭାଇରାଲ ହେବା ପରେ ନବାବଙ୍ଗଜ ପୋଲିସ ଘଟଣାରେ ସମ୍ପୃକ୍ତ ଥିବା 3 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ପ୍ରତାପଗଢଠାରେ ବିଲୁପ୍ତପ୍ରାୟ ଡ଼ଲଫିନକୁ ହତ୍ୟା କରାଯାଇଛି । ନବାବଙ୍ଗଜ କୋତବାଲି ଗ୍ରାମ ଅଞ୍ଚଳରେ ଏହି ଘଟଣା ଘଟିଛି । ଭାରତ ସରକାର ଏହି ବିଲୁପ୍ତପ୍ରାୟ ପ୍ରାଣୀକୁ ଦେଶର ଦ୍ବିତୀୟ ଜାତୀୟ ଜଳଜୀବ ଭାବେ ଘୋଷଣା କରିଛନ୍ତି । ତେବେ ଅଭିଯୁକ୍ତମାନେ ବାଡ଼ି ସାହାଯ୍ୟରେ ଏହି ବିଲୁପ୍ତ ପ୍ରାଣୀକୁ ପିଟିପିଟି ମାରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଗ୍ରାମବାସୀମାନେ ଏହି ଘଟଣାର ମଜା ଉଠାଉଥିବା ବେଳେ ପ୍ରତିବାଦ କରିନଥିବା ଦେଖିବାକୁ ମିଳିଥିଲା । ତେବେ କିଛି ଦିନ ପରେ ଏହି ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ।
କିନ୍ତୁ ଏହି ଜଳଜୀବକୁ ମାରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୋଲିସ ଏହି ଘଟଣାରେ ତତ୍ପରତା ଦେଖାଇ 3 ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଏହି ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନବାବଙ୍ଗଜ ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ