ଲକ୍ଷ୍ନୌ: ଅଖିଳ ଭାରତ ଆଖଡ଼ା ପରିଷଦର ନୂଆ ସଭାପତି ହେବେ ମହନ୍ତ ବଲବୀର ଗିରି । ଶ୍ରୀ ପଞ୍ଚାୟତ ଆଖରା ନିରଞ୍ଜନ ପଦାଧିକାରୀମାନେ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ମହନ୍ତ ବଲବୀର ଗିରିଙ୍କୁ ବାଘମ୍ବରୀର ମଠର ମୁଖ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେପ୍ଟେମ୍ବର 20ରେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ଏହି ପଦ ଖାଲି ପଡିଥିଲା । ମଠ ସମ୍ବନ୍ଧୀୟ ସମସ୍ତ ପ୍ରମୁଖ ନିଷ୍ପତ୍ତି ବଲବୀର ଗିରି ନେଇପାରିବେ । କିନ୍ତୁ ପାଞ୍ଚ ସଦସ୍ୟଙ୍କ ଠାରୁ ଅନୁମୋଦନ ପାଇବେ ପରେ କାର୍ଯ୍ୟକାରୀ କରିବେ। ଅକ୍ଟୋବର 5ରେ ତାଙ୍କୁ ଆନୁଷ୍ଠାନିକ ଭାବେ ଅଭିଷେକ କରାଯାଇ ସମସ୍ତ ଦାୟିତ୍ବ ଦିଆଯିବ ।
35 ବର୍ଷିୟ ବଲବୀର ଗିରି ଗତ 15 ବର୍ଷ ଧରି ମହନ୍ତ ନରେନ୍ଦ୍ର ଗିରିଙ୍କର ସବୁଠାରୁ ବିଶ୍ବସ୍ତ ଶିଷ୍ୟ ଅଟନ୍ତି | ସେ 2005ରେ ନିଜ ପରିବାରକୁ ଛାଡି ସନ୍ୟାସ ଗ୍ରହଣ କରିଥିଲେ । ତାଙ୍କୁ ହରିଦ୍ବାରରେ ନରେନ୍ଦ୍ର ଗିରିଙ୍କ ଦ୍ବାରା ଦୀକ୍ଷିତ କରାଯାଇଥିଲା । ଏହାସହ ବର୍ତ୍ତମାନ ସେ ହରିଦ୍ବାରର ବିଲକେଶ୍ବର ମହାଦେବ ମନ୍ଦିରର ଦେଖାଶୁଣା କରୁଛନ୍ତି । ବଲବୀର ଏବଂ ଆନନ୍ଦ ଗିରି ଗୋଟିଏ ସମୟରେ ମହନ୍ତ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ହୋଇଥିଲେ । ଏବଂ ଦୁହେଁ ମଧ୍ୟ ପରପ୍ପର ସହ ଭଲରେ ମିଶି ଯାଇଥିଲେ । ପରେ, ଯେତେବେଳେ ନରେନ୍ଦ୍ର ଗିରି ଏବଂ ଆନନ୍ଦ ଗିରିଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା । ସେତେବେଳେ ବଲବୀର ନରେନ୍ଦ୍ର ଗିରିଙ୍କ ପ୍ରତି ଅଧିକ ବିଶ୍ବସ୍ତ ହୋଇଯାଇଥିଲେ ।
ମେ 2021ରେ ନରେନ୍ଦ୍ର ଗିରି ଆନନ୍ଦଙ୍କୁ ଆଖଡା ଓ ମଠରୁ ବାହାର କରିଦେଇଥିଲେ । ବାଲବୀର ଗିରି ମଧ୍ୟ ନିରଞ୍ଜନ ଆଖଡାର ଉପ ମହନ୍ତ ଅଟନ୍ତି | ବଲବୀର ଗିରି ଅଧିକାଂଶ ସମୟ ହରିଦ୍ବାର ବିଲକେଶ୍ବର ମହାଦେବ ମନ୍ଦିରରେ ଅତିବାହିତ କରନ୍ତି । ବିଶେଷକରି ସେ ଗଣମାଧ୍ୟମରୁ ଦୂରେଇ ରୁହନ୍ତି । ମହନ୍ତ ନରେନ୍ଦ୍ର ଗିରିଙ୍କ ଦେହାନ୍ତ ପରେ ମଧ୍ୟ ସେ ଗଣମାଧ୍ୟମରୁ ଦୂରେଇ ରହିଥିଲେ । କିନ୍ତୁ ଗୁରୁ ନରେନ୍ଦ୍ର ଗିରିଙ୍କ ଅନ୍ତିମ ଯାତ୍ରାର ସମସ୍ତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
ସୂଚନା ଥାଉକି, ଗତ ସେପ୍ଟେମ୍ବର ୨୦ରେ ଅଖିଳ ଭାରତ ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ବାଘାମ୍ବରୀ ମଠରେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ନିରଞ୍ଜନ ଆଖଡାର ସାଧାରଣ ସମ୍ପାଦକ ମହନ୍ତ ରବିନ୍ଦ୍ର ପୁରୀ କହିଛନ୍ତି ଯେ ମହାରାଜ ଜୀ (ନରେନ୍ଦ୍ର ଗିରି)ଙ୍କ ଶେଷ ଇଚ୍ଛା ଆମେ ପୂରଣ କରିଛୁ ବୋଲି ସେ କହିଛନ୍ତି ।
ବଲବୀର ଗିରିଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ନାମିତ କରିଛୁ। ସେ ସୁଇସାଇଡ ନୋଟରେ ମଧ୍ୟ ତାଙ୍କ ନିଷ୍ପତ୍ତି ବିଷୟରେ ଉଲ୍ଲେଖ କରିଥିଲେ । ଅକ୍ଟୋବର 5ରେ ମହନ୍ତ ବଲବୀର ଗିରିଙ୍କୁ ଅଖିଳ ଭାରତ ଆଖଡ଼ା ପରିଷଦର ନୂଆ ସଭାପତି ଭାବେ ଦାୟିତ୍ବ ଦିଆଯିବ । ଏହି କାର୍ଯ୍ୟକ୍ରମରେ ୧୩ଟି ଆଖଡାର ବରିଷ୍ଠ କର୍ମକର୍ତ୍ତାଙ୍କୁ ନିମନ୍ତ୍ରଣ କରାଯାଇଛି । ବଲବୀର ଗିରି ମଧ୍ୟ ବଡେ ହନୁମାନ ମନ୍ଦିରର ମୁଖ୍ୟ ମହାନ୍ତ ମଧ୍ୟ ହେବେ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ