ନୂଆଦିଲ୍ଲୀ: ବାହୁବଳୀ ନେତା ମୁଖତାର ଅଂସାରୀଙ୍କୁ ସୁପ୍ରିମକୋର୍ଟରୁ ଝଟକା । ଅଂସାରୀଙ୍କୁ ଉତ୍ତରପ୍ରଦେଶ ପଠାଇବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ମୁଖତାରକୁ ବାନ୍ଦା କିମ୍ବା ଅନ୍ୟ କେଉଁ ଜେଲରେ ରଖାଯିବ, ଏନେଇ ପ୍ରୟାଗରାଜର ସ୍ବତନ୍ତ୍ର ଏମପି/ଏମଏଲଏ କୋର୍ଟ ନିଷ୍ପତ୍ତି ନେବେ ।
ପୂର୍ବାଞ୍ଚଳର ମାଫିଆ ଡନ ତଥା ବିଏସପିର ବାହୁବଳୀ ବିଧାୟକ ମୁଖତାର ଅଂସାରୀଙ୍କୁ ନେଇ ଉତ୍ତରପ୍ରଦେଶ ଓ ପଞ୍ଜାବ ସରକାରଙ୍କ ମଧ୍ୟରେ ରାଜନୈତିକ ସହ ଆଇନଗତ ସଂଗ୍ରାମ ଜାରି ରହିଛି । ବର୍ତ୍ତମାନ ମୁଖତାର ପଞ୍ଜାବର ରୋପଡ ଜେଲରେ ବନ୍ଦୀ ଅଛନ୍ତି । ଏହାରି ମଧ୍ୟରେ ଯୋଗୀ ସରକାର ମୁଖତାରଙ୍କୁ ଉତ୍ତରପ୍ରଦେଶ ଆଣି ଆହ୍ଲାବାଦର ସ୍ବତନ୍ତ୍ର କୋର୍ଟରେ ତାଙ୍କ ବିରୋଧରେ ଚାଲିଥିବା ମକଦମାକୁ ଏକ ସମାଧାନ ସ୍ଥିତିକୁ ଆଣିବାକୁ ଚାହୁଁଛନ୍ତି ।
ମୁଖତାର ଅଂସାରୀଙ୍କ ବିରୋଧରେ ଆହ୍ଲାବାଦର ସ୍ବତନ୍ତ୍ର କୋର୍ଟରେ 10 ମାମଲା ରହିଛି । ଏଥିମଧ୍ୟରୁ ଡବଲ ମର୍ଡରର ଏକ ମାମଲା ନିର୍ଣ୍ଣାୟକ ପର୍ଯ୍ୟାୟରେ ରହିଛି । ଏଥିରେ ଟ୍ରାଏଲ ପାଖାପାଖି ଶେଷ ହୋଇସାରିଥିବା ବେଳେ କୌଣସି ବି ମୁହୂର୍ତ୍ତରେ ରାୟ ଆସିପାରେ ।