ଥିରୁଅନନ୍ତପୁରମ: ଆୟୁର୍ବେଦ ଚିକିତ୍ସାରେ ମଣିଷ ସୁସ୍ଥ ହେଉଥିବା କଥା ଶୁଣିଥିବେ, ମାତ୍ର ଏକ ଗଛର ଚିକିତ୍ସା କଥା କେବେ ଶୁଣିନଥିବେ । ଜାଣି ଆଶ୍ଚର୍ଯ୍ୟ ହେବେ ଏକ ବୃକ୍ଷ ପାଇଁ ଆୟୁର୍ବେଦ ଚିକିତ୍ସା ପ୍ରଣାଳୀ ଆପଣାଯାଇଛି । ଏକ ସ୍ବତନ୍ତ୍ର ଟିମର ମିଳିତ ଉଦ୍ୟମରେ ପୁଣି ଜୀବନଦାନ ପାଇବାକୁ ଯାଉଛି ଗଛ । ବୃକ୍ଷ ଚିକିତ୍ସକଙ୍କ ମିଳିତ ଉଦ୍ୟମରେ କେରଳ ପଥାନାମଥୀତାର ପାଲକକଥାକିଡିରେ ଏକ 130 ବର୍ଷ ପୁରୁଣା ଗଛକୁ ବଞ୍ଚାଇବାକୁ ଚିକିତ୍ସା ଜାରି ରହିଛି ।
ସୂଚନା ଅନୁସାରେ, କେରଳରେ ପାଲକକଥାକିଡିରେ ଏକ 130 ବର୍ଷ ପୁରୁଣା ଗଛକୁ ବଞ୍ଚାଇବାକୁ ପ୍ରାୟସ ଚାଲିଛି । କିଛି ଦିନ ତଳେ କିଛି ଅସାମାଜିକ ଲୋକ ଗଛ ମୂଳରେ ଏକ ଗର୍ତ୍ତ କରି ମର୍କ୍ୟୁରି ଢାଳି ଦେଇଥିଲେ । ଏହାପରେ ଗଛଟି ମରି ଯାଇଥିଲା । ଦିନେ ଯେଉଁ ଗଛ ପଥିକଙ୍କୁ ଛାଇ ଦେଉଥିବା ପତ୍ରରେ ହରାଭରା ହୋଇଥିଲା ତାହା ଥୁଣ୍ଟା ହୋଇଯାଇଥିଲା । ଏହାପରେ ଗଛକୁ ପୁନର୍ଜୀବିତ କରିବା ପାଇଁ ଆୟୁର୍ବେଦ ଚିକିତ୍ସା ଆରମ୍ଭ ହୋଇଛି । ସମସ୍ତ ସ୍ଥାନୀୟ ଲୋକ ଏହାର ପୁନର୍ଜୀବନକୁ ଅପେକ୍ଷା କରିଛନ୍ତି ।
ଗଛ ମୂଳରେ ଆୟୁର୍ବେଦ ଔଷଧ ଦିଆଯାଇଛି । 20ରୁ ଅଧିକ ଜିନିଷର ମିଶ୍ରଣ ଔଷଧ ଲଗାଇ କପଡା, ସୂତାରେ ଗଛର ଗଣ୍ଡିକୁ ବାନ୍ଧି ଦିଆଯାଇଛି । ଏହି ମେଡିକାଲ ପେଷ୍ଟକୁ ବୃକ୍ଷ ଡାକ୍ତର ବିନୁ ଭାଜୋର, ଗୋପକୁମାର କଙ୍ଗଜା, ନିଧି କୋରୋପଡା, ଏବଂ ବିଜୟକୁମାର ଏହି ମିଶ୍ରଣ ପ୍ରସ୍ତୁତ କରିଛନ୍ତି । ଗଛ ମୂଳରୁ ଚାରି ହାଣ୍ଡି ମାଟି, ଦୁଇ ହାଣ୍ଡି ଗୋବର ବ୍ୟବହାର କରିଥିଲେ । 20 ଲିଟର ଗାଈ କ୍ଷୀର, ଗୋଟିଏ କିଲୋ ଗାଈ ଘିଅ, ଅଧା କିଲୋ ଚାଉଳ ଗୁଣ୍ଡ, ଦୁଇ କିଲୋଗ୍ରାମ କଳା ତେଲ ଭଳି ବିଭିନ୍ନ ପଦାର୍ଥ ବ୍ୟବହାର କରାଯାଇଛି । ଏହାର ମିଶ୍ରଣକୁ ଗଛର ଗଣ୍ଡିରେ ଲଗାଯାଇଛି । 20ମିଟର ଲମ୍ବ କପଡାରେ ଏହାକୁ ଗୁଡାଯାଇଛି ।
ବୃକ୍ଷର ଚିକିତ୍ସା ପୂର୍ବରୁ ଡାକ୍ତର ନଡିଆ ପତ୍ର ଏବଂ କପଡା ସାହାଯ୍ୟରେ ଗଛରେ ହୋଇଥିବା ଗାତରୁ ମର୍କ୍ୟୁରି ବାହର କରିଥିଲେ । ବର୍ତ୍ତମାନ ସ୍ଥାନୀୟ ଲୋକ ଗଛର ଯତ୍ନ ନେଉଛନ୍ତି । ପରିବେଶ ସୁରକ୍ଷାରେ ଗଛର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବୃକ୍ଷକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ ।