ନୂଆଦିଲ୍ଲୀ: ହିମାଚଳପ୍ରଦେଶର ରୋହତାଙ୍ଗରେ ନିର୍ମିତ ଅଟଳ ଟନେଲ(Atal Tunnel)କୁ 'ଶ୍ରେଷ୍ଠ ଭିତ୍ତିଭୂମି ପ୍ରକଳ୍ପ’ ପୁରସ୍କାର ପ୍ରଦାନ କଲା ଇଣ୍ଡିଆନ୍ ବିଲଡିଂ କଂଗ୍ରେସ (IBC) । ଗତକାଲି ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ତିରିଶରୁ ଅଧିକ ଅତ୍ୟାଧୁନିକ ଭିତ୍ତିଭୂମି ପ୍ରକଳ୍ପ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲା । ଏହା ମଧ୍ୟରୁ ୨୦୨୧ରେ ନିର୍ମିତ ଅଟଳ ଟନେଲକୁ ଆଇବିସିର ଜୁରି ମେମ୍ବର ଶ୍ରେଷ୍ଠ ପ୍ରକଳ୍ପ ଭାବରେ ଘୋଷଣା କରିଥିଲେ ।
ଆଇବିସିର ୨୫ତମ ବାର୍ଷିକ ସମ୍ମିଳନୀରେ ଏହି ପୁରସ୍କାର ଗ୍ରହଣ କରିଥିଲେ BRO ମହାନିର୍ଦ୍ଦେଶକ ଲେଫ୍ଟ ଜେନେରାଲ ରାଜୀବ ଚୌଧୁରୀ । ମନାଲି ଏବଂ ଲାହଲ ଉପତ୍ୟକାକୁ ସଂଯୋଗ କରୁଥିବା ଏହି ଟନେଲ ଭାରତୀୟ ସେନାର ସୀମା ସଡକ ସଂଗଠନ (BRO) ଦ୍ବାରା ନିର୍ମିତ ହୋଇଥିଲା । ଏହି ଟନେଲ ହେବା ଦ୍ବାରା ମନାଲି ଏବଂ ଲେହର ସମେତ ସମଗ୍ର ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏଥିସହ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ବୃଦ୍ଧି ଘଟିଥିବା କହିଛନ୍ତି BRO ମହାନିର୍ଦ୍ଦେଶକ ।
ଏହା ମଧ୍ୟ ପଢନ୍ତୁ: ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ‘ଅଟଳ ଟନେଲ’
ନ୍ୟୁ ଅଷ୍ଟ୍ରିଆନ ଟନେଲିଂ ପଦ୍ଧତି ଦ୍ବାରା ଏହି ଟନେଲକୁ ନିର୍ମିତ ହୋଇଛି । ୨୦୨୦ ଅକ୍ଟୋବର ୩ରେ ଏହାକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । ହଜାର ମିଟର ଉଚ୍ଚ ପାହାଡରେ ଏହା ନିର୍ମିତ ହୋଇଛି । ଏହି ଟନେଲ ଯୋଗୁଁ ମନାଲି ଓ ଲେହର ଦୂରତା 46 କିମି ଦୂରତା ହ୍ରାସ ପାଇଛି । ଅଟଳ ଟନେଲ ଦୁନିଆର ସବୁଠାରୁ ଲମ୍ବା ରାଜପଥ ଟନେଲ । ପୂର୍ବରୁ ପ୍ରବଳ ତୁଷାରପାତ ହେତୁ ପ୍ରତିବର୍ଷ ପ୍ରାୟ 6 ମାସ ପର୍ଯ୍ୟନ୍ତ ଉପତ୍ୟକା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଉଥିଲା ।