ନୂଆଦିଲ୍ଲୀ: ୱାର୍ଲଡ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ଅଟଳ ଟନେଲ । ମନାଲି ଓ ଲାହାଉଡ ସ୍ଥିତ ଉପତ୍ୟକାକୁ ସଂଯୋଗ କରୁଥିବା ରାଜପଥର ରୋହତଙ୍ଗ ଗିରିପଥରେ ନିର୍ମିତ ଅଟଳ ଟନେଲ ବିଶ୍ବ ରେକର୍ଡରେ ସ୍ଥାନ ପାଇଛି (Atal Tunnel Certified By World Book Of Records) । ସମୁଦ୍ର ପତ୍ତନଠୁ ୧୦ହଜାର ଫୁଟ ଉଚ୍ଚରେ ଏହା ବିଶ୍ବର ସର୍ବୋଚ୍ଚ ତଥା ସୁଦୀର୍ଘ ସୁଡଙ୍ଗ ରାଜପଥ ଭାବେ ରେକର୍ଡ କରିଛି ।
ଗୁରୁବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଐତିହାସିକ ଉତ୍ସବରେ ବର୍ଡର ରୋଡ ଅନୁଷ୍ଠାନ (BRO) ମହାନିର୍ଦ୍ଦେଶକ ଲେପ୍ଟନାଣ୍ଟ ଜେନେରାଲ ରାଜୀବ ଚୌଧୁରୀ ଏହି ରେକର୍ଡ ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ହିମାଚଳପ୍ରଦେଶର ଲେହ-ମନାଲିରେ ଅବସ୍ଥିତ ଏହି ଟନେଲ । ୯.୦୨ କିଲୋମିଟର ଦୀର୍ଘ ସୁଡଙ୍ଗ ପଥ ୨୦୨୦ ଅକ୍ଟୋବର ୩ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା । ବର୍ଷକୁ ୬ ମାସ ଏହି ରାଜପଥ ବନ୍ଦ ହୋଇଥାଏ କିନ୍ତୁ ଏହି ଟନେଲ ନିର୍ମାଣ ଦ୍ବାରା ମନାଲି ଓ ସାର୍ଚୁ ମଧ୍ୟରେ ୪୬ କିଲୋମିଟର ହ୍ରାସ ପାଇଛି । ଏହି ଟନେଲ ମାଧ୍ୟମରେ ବର୍ଷ ସାରା ଗମନାଗମନ ସୁବିଧା ହୋଇପାରିଛି ।
ପାହାଡ ଉପରେ ମାଇନସ ୨୫ ଡିଗ୍ରୀ ସେଲିୟସ ତାପମାତ୍ରାରେ ବିଆରଓ ଏହି ଟନେଲ ନିର୍ମାଣ କରିବା ଅତ୍ୟନ୍ତ କଷ୍ଟକର ଥିଲା । ଏହାକୁ ବିଆରଓ ଇଞ୍ଜିନିୟରିଂ କୌଶଳରେ ନିର୍ମିତ କରାଯାଇଛି । ଯାନ୍ତ୍ରିକ ବିଦ୍ୟାର ବିସ୍ମୟ ଏଥିରେ ପରିଲିକ୍ଷିତ ହୋଇଛି ।