ହାଇଦ୍ରାବାଦ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆସନ୍ତାକାଲି ପ୍ରକାଶ ପାଇବ 4 ରାଜ୍ୟର ବିଧାନସଭା ଫଳାଫଳ । ଏଥିପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି । 3 ରାଜ୍ୟରେ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧା ମୁକାବିଲା ହେଉଛି । 4ର୍ଥ ତଥା ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ) ସହ କଂଗ୍ରେସର କଡା ମୁକାବିଲା ହେଉଛି । 30 ତାରିଖରେ ନିର୍ବାଚନ ହେଉଥିବା 5 ରାଜ୍ୟ ମଧ୍ୟରୁ ଅନ୍ତିମ ରାଜ୍ୟ ଭାବେ ତେଲେଙ୍ଗାନାରେ ଭୋଟିଂ ଶେଷ ହେବା ପରେ ବୁଥବାହୁଡା ଜନମତ ବା ‘ଏକଜିଟ ପୋଲ’ ପ୍ରକାଶ ପାଇସାରିଛି । ଆଉ ମାତ୍ର କିଛି ଘଣ୍ଟା ପରେ ଏକଜାଟ ପୋଲ ମଧ୍ୟ ସାମ୍ନାକୁ ଆସିବାକୁ ଯାଉଛି ।
ଏକାଧିକ ଜାତୀୟ ଗଣମାଧ୍ୟର ଏକଜିଟ ପୋଲରେ ବିଜେପି ଶାସିତ ମଧ୍ୟ ପ୍ରଦେଶରେ ବିଜେପି ଓ ପାରମ୍ପରିକ କଂଗ୍ରେସ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ । ମାତ୍ର ଏକାଧିକ ସଂସ୍ଥାର ପୂର୍ବନୁମାନ ଅନୁସାରେ, ଏଠାରେ ଶାସକ ବିଜେପିର ପଲ୍ଲା ସାମାନ୍ୟ ଭାରି ରହିଛି । ତେବେ କ୍ଷମତା ବଜାୟ ରଖିବା ନେଇ ବିଜେପି ଆଶାବଦୀ ଥିବା ବେଳେ ଗତ ନିର୍ବାଚନ (2018) ପରି ସଫଳତା ପାଇବା ନେଇ କଂଗ୍ରେସ ମଧ୍ୟ ଆଶାବାଦୀ ।
ସେହିପରି ପଶ୍ଚିମ ରାଜ୍ୟ ରାଜସ୍ଥାନରେ ମଧ୍ୟ ଉଭୟ ଶାସକ କଂଗ୍ରେସ ଓ ବିରୋଧୀ ତଥା ପାରମ୍ପରିକ ପ୍ରତିଦ୍ବନ୍ଦୀ ବିଜେପି ମଧ୍ୟରେ କଡା ମୁକାବିଲା ହେଉଛି । ଏକାଧିକ ଏକଜିଟ ପୋଲରେ ରାଜ୍ୟସ୍ଥାନରେ ବିରୋଧୀ ବିଜେପିକୁ ବହୁମତ ମିଳିବା ନେଇ ଆକଳନ ପ୍ରକାଶ ପାଇଛି । ରାଜ୍ୟରେ ପ୍ରତ୍ୟେକ ନିର୍ବାଚନରେ କ୍ଷମତା ପରିବର୍ତ୍ତନ ହେବାର ଧାରା ରହିଥିବାରୁ ବିଜେପି ଶାସକ କଂଗ୍ରେସ ଉପରେ ଭାରି ପଡିବା ନେଇ ଅନୁମାନ କରାଯାଉଛି । କଂଗ୍ରେସ କିନ୍ତୁ ପୂର୍ବ ପ୍ରଚଳିତ ଧାରା ଭାଙ୍ଗି କ୍ଷମତା ବଜାୟ ରଖିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଛି ।
ଅନ୍ୟତମ କଂଗ୍ରେସଶାସିତ ରାଜ୍ୟ ଛତିଶଗଡରେ ଶାସକ ଦଳର ସ୍ଥିତି ବେଶ ଭଲ ରହିଛି । ପ୍ରାୟ ସମସ୍ତ ଗଣମାଧ୍ୟମର ଏକଜିଟ ପୋଲରେ ବଘେଲ ସରକାର କ୍ଷମତା ବଜାୟ ରଖିବା ନେଇ ସଙ୍କେତ ଦେଇଛନ୍ତି । ବିଜେପି ଗତ ନିର୍ବାଚନଠାରୁ ଅପେକ୍ଷାକୃତ ଭଲ ପ୍ରଦର୍ଶନ କଲେ ମଧ୍ୟ ବିରୋଧୀ ଆସନରେ ସମୀତ ରହିବା ପାଇଁ ବାଧ୍ୟ ହେବ ବୋଲି ଏକଜିଟ ପୋଲ କହୁଛି ।
ସର୍ବାଧିକ ଚର୍ଚ୍ଚାରେ ରହିଛି ଦକ୍ଷିଣ ରାଜ୍ୟ ତେଲେଙ୍ଗାନା । 2014 ରେ ଆନ୍ଧ୍ର ପ୍ରଦେଶରୁ ବିଭାଜିତ ହୋଇ ସ୍ବତନ୍ତ୍ର ରାଜ୍ଯ ହୋଇଥିବା ତେଲେଙ୍ଗାନାରେ କେ.ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବାଧୀନ କ୍ଷେତ୍ରୀୟ ଦଳ ବିଆରଏସ ଶାସନରେ ରହିଆସିଛି । ମୁଖ୍ୟମନ୍ତ୍ରୀ କେସିଆର ଚଳିତ ଥର ହ୍ୟାଟ୍ରିକ ମାରିବାକୁ ଆଶା ରଖିଥିବା ବେଳେ ଏକଜିଟ ପୋଲ ଆକଳନ କିନ୍ତୁ କଂଗ୍ରେସ ସପକ୍ଷରେ ସଙ୍କେତ ଦେଇଛି । ଏକାଧିକ ସଂସ୍ଥାର ଏକଜିଟ ପୋଲରେ କଂଗ୍ରେସ ବହୁମତ ସଂଖ୍ୟାର ନିକଟତର ରହିଛି ।
ଏହା ମଧ୍ୟ ପଢନ୍ତୁ :- ମେଲୋନୀଙ୍କୁ ମୋଦିଙ୍କ ରିପ୍ଲାଏ:‘ ବନ୍ଧୁଙ୍କୁ ଭେଟିବା ସବୁବେଳେ ଖୁସି ଦିଏ’
ତେବେ ଏହି ସବୁ କଳ୍ପନା ଜଳ୍ପନା ଶେଷ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ମାତ୍ର । ଆସନ୍ତାକାଲି କେବଳ ମିଜୋରାମକୁ ବାଦ ଦେଲେ ସମସ୍ତ 4 ରାଜ୍ୟରେ ସକାଳୁ ଭୋଟ ଗଣତି ଆରମ୍ଭ ହୋଇଯିବ । ଏଥିପାଇଁ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଶେଷ ହୋଇସାରିଛି । କେଉଁ ଆଞ୍ଚଳିକ ମୁଦ୍ଦା କାମ କରିଛି, କିଏ ବିଶ୍ବାସ ଜିତିଛି, ରାଜ୍ୟବାସୀ କାହାକୁ ରାଜ୍ୟର ଶାସନ ଭାର ଦେଇଛନ୍ତି, ତାହା ପ୍ରାୟତଃ ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ । 2024 ସାଧାରଣ ନିର୍ବାଚନକୁ ଆଉ ମାତ୍ର ମାସ କେତେଟା ବାକି ଥିବା ବେଳେ ଏହି 5 ରାଜ୍ୟର ଫଳାଫଳ ହିଁ ଜନତା ଜନାର୍ଦ୍ଦନଙ୍କ ମୁଡକୁ ସ୍ପଷ୍ଟ କରିବ । ଏହା ସହ 2024 ରେ ଦିଲ୍ଲୀ ରାଜନୀତିର ଦୃଶ୍ୟପଟ୍ଟ କେମିତି ରହିବ, ତାର ଏକ ସମ୍ଭାବ୍ୟ ଚିତ୍ର ମଧ୍ୟ ସାମ୍ନାକୁ ଆସିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ