ହାଇଦ୍ରାବାଦ: ଦେଶ ପାଳୁଛି ଗୌରବମୟ 75 ତମ ସେନା ଦିବସ । ପ୍ରଥମ ଥର ପାଇଁ ସେନା ମୁଖ୍ୟାଳୟ (ନୂଆଦିଲ୍ଲୀ) ବାହାରେ ବେଙ୍ଗାଲୁରରେ ୭୫ତମ ସେନା ଦିବସ ପାଳୁଛି ଭାରତୀୟ ସେନା । ସ୍ବାଧୀନ ଭାରତ ପରଠାରୁ ଗତବର୍ଷ ପର୍ଯ୍ୟନ୍ତ ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ କ୍ୟାଣ୍ଟନମେଣ୍ଟ କ୍ୟାଣ୍ଟରେ ମୁଖ୍ୟ ପ୍ୟାରେଡ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା । କିନ୍ତୁ ଚଳିତ ବର୍ଷ ଏହା ବେଙ୍ଗାଲୁରରେ ହେଉଛି ।
ଆଜି ହେଉଛି 'ଆର୍ମି ଡେ' (Army Day 2023) ବା ସ୍ଥଳସେନା ଦିବସ । ଦେଶ ପାଳୁଛି ଗୌରବମୟ 75 ତମ ଆର୍ମି ଡେ । ପ୍ରତିବର୍ଷ ଜାନୁୟାରୀ 15 ତାରିଖକୁ ଏହି ଦିବସ ପାଳନ କରାଯାଇଥାଏ । ଦେଶର ସୀମାରେ ମୁତୟନ ବୀର ଯବାନଙ୍କ ବୀରତ୍ବ, ଶୌର୍ଯ୍ୟ, ପରାକ୍ରମ, ସେବା, ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବାର ଦିନଟିଏ । ଭାରତୀୟ ସେନାର ଏକ ପ୍ରମୁଖ ଅଙ୍ଗ ହେଉଛି ସ୍ଥଳ ସେନା । ଯାହାର ମୋଟୋ ହେଉଛି ସେବା ପରମ ଧର୍ମ (Sewa Paramo Dharma) ।
ଏହାବି ପଢନ୍ତୁ- Army Chief on LAC: ଏଲଏସିରେ ସ୍ଥିତି ସ୍ଥିର, ଯୋଶୀମଠରେ ୨୫ରୁ ଊର୍ଦ୍ଧ୍ୱ ସେନା କ୍ୟାମ୍ପରେ ଫାଟ
ଆର୍ମି ଡେ’ ଅବସରରେ ଆଜି ବେଙ୍ଗାଲୁରରେ ମୁଖ୍ୟ ପ୍ୟାରେଡ ଅନୁଷ୍ଠିତ ହେଉଛି । ଏହା ବ୍ୟତୀତ ଦିଲ୍ଲୀ ସ୍ଥିତ ସେନା ମୁଖ୍ୟାଳୟ, ଜାତୀୟ ଯୁଦ୍ଧ ସ୍ମାରକୀ, ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ସେନା କାର୍ଯ୍ୟାଳୟ, ଶହୀଦ ସ୍ମୃତିସ୍ଥଳ ସମେତ ବିଭିନ୍ନ ସ୍ଥାନରେ ସୈନ୍ୟ ପରେଡ, ଶ୍ରଦ୍ଧାଞ୍ଜଳି ସମେତ ଚିତାକର୍ଷକ ଷ୍ଟଣ୍ଟ ଓ ସେନାର ଶକ୍ତି ପ୍ରଦର୍ଶିତ ହେଉଛି । ଅଖଣ୍ଡ ଭାରତର ସୁରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯୋଦ୍ଧାଙ୍କୁ ଦେଶ ସ୍ମରଣ କରୁଛି । ସେମାନଙ୍କର ବୀରତ୍ବକୁ ନେଇ ଗର୍ବ ଅନୁଭବ କରୁଛି ।
ପ୍ରତି ବର୍ଷ 15 ଜାନୁୟାରୀକୁ ଦେଶ ଆର୍ମି ଡେ’ ବା ସ୍ଥଳସେନା ଦିବସ ପାଳନ କରୁଛି ? ଏହି ଦିନଟି ଭାରତୀୟ ସେନା ଓ ଦେଶ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ? କାରଣ ଏହି ଦିନ ତଥା 15 ଜାନୁୟାରୀ 1949ରେ ଭାରତୀୟ ସ୍ଥଳସେନାକୁ ମିଳିଥିଲା ପ୍ରଥମ ସେନା ଅଧ୍ୟକ୍ଷ । ଫିଲ୍ଡ ମାର୍ଶଲ କରିୟପ୍ପା ହୋଇଥିଲେ ଭାରତୀୟ ସ୍ଥଳସେନାର ପ୍ରଥମ ଅଧ୍ୟକ୍ଷ । ତାଙ୍କରି ସମ୍ମାନରେ ଜାନୁୟାରୀ 15 କୁ ଆର୍ମି ଡେ’ ବା ସ୍ଥଳସେନା ଦିବସ ଭାବେ ଦେଶ ପାଳନ କରି ଆସୁଛି ।
କିଏ ଏହି ଫିଲ୍ଡ ମାର୍ଶଲ କେଏମ କରିୟପ୍ପା - 1947 ରେ ଦେଶ ସ୍ବାଧୀନତା ହେବା ସତ୍ତ୍ବେ 1949 ପର୍ଯ୍ୟନ୍ତ ଭାରତ ଉପରେ ବ୍ରିଟିଶ ସେନାର ପ୍ରଭୁତ୍ବ ଥିଲା । ଅର୍ଥାତ 1949 ପର୍ଯ୍ୟନ୍ତ ଭାରତୀୟ ସେନାର ମୁଖ୍ୟଥିଲେ ବ୍ରିଟିଶ ସେନାଧ୍ୟକ୍ଷ । ସ୍ବାଧୀନ ଭାରତର ଶେଷ ବ୍ରିଟିଶ ସେନାଧ୍ୟକ୍ଷ ଥିଲେ କମାଣ୍ଡର ଇନ ଚିଫ ଜେନେରାଲ ଫ୍ରାନ୍ସିସ ବୁଚର । ତାଙ୍କ ଠାରୁ ଲେଫ୍ଟନାଣ୍ଟ କେଏମ କରିୟପ୍ପା (KM Cariappa) ନେଇଥିଲେ ଭାରତୀୟ ସେନାର ଦାୟିତ୍ବ । ପରେ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ସେ ନେଇଥିଲେ ଭାରତୀୟ ସେନାର ନେତୃତ୍ବ । ତାଙ୍କର ଦକ୍ଷତା ଓ ବୀରତ୍ବକୁ ସମ୍ମାନ ଜଣାଇ ସରକାର ଲେଫ୍ଟନାଣ୍ଟ କେଏମ କରିୟପ୍ପାଙ୍କୁ ଫିଲ୍ଡ ମାର୍ଶଲ ଭାବେ ପଦନ୍ନୋତି ଦେଇଥିଲେ ।
ଫିଲ୍ଡ ମାର୍ଶଲ କରିୟପ୍ପା ଭାରତୀୟ ସେନାର ପ୍ରଥମ ଅଧିକାରୀ ଭାବରେ ପାଞ୍ଚ ତାରକା ମାନ୍ୟତା ପାଇଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧ ଓ 1947 ର ପ୍ରଥମ ଇଣ୍ଡୋ-ପାକ ଯୁଦ୍ଧରେ ସେନାର ନେତୃତ୍ବ ନେଇଥିଲେ। 1919 ମସିହାରେ ଫିଲ୍ଡ ମାର୍ଶଲ କେଏମ କରିୟାପ୍ପା ଭାରତୀୟଙ୍କ ଗୋଷ୍ଠୀରେ ସେନା ପାଇଁ ମନୋନୀତ ହୋଇଥିଲେ । ଫିଲ୍ଡ ମାର୍ଶଲ କେଏମ କରିୟାପ୍ପାଙ୍କୁ 'ଅର୍ଡର ଅଫ ଦି ଲେଜିଅନ ଅଫ ମେରିଟ' ପ୍ରଦାନ କରାଯାଇଥିଲା । ବ୍ରିଟିଶ ରାଷ୍ଟ୍ରପତି ହ୍ୟାରି ଟ୍ରୁମାନଙ୍କ ଦ୍ବାରା ଭାରତୀୟ ଜେନେରାଲକୁ ଦିଆଯାଇଥିବା ପ୍ରଥମ ପୁରସ୍କାର ଫିଲ୍ଡ ମାର୍ଶଲ କେଏମ କରିୟାପ୍ପା ପାଇଥିଲେ । 1983 ରେ ତାଙ୍କୁ ଫିଲ୍ଡ ମାର୍ଶଲ (ପାଞ୍ଚ ତାରକା) ମାନ୍ୟତା ଦିଆଯାଇଥିଲା । ଭାରତୀୟ ସେନାରୁ ଅବସର ନେବା ପରେ ଫିଲ୍ଡ ମାର୍ଶଲ କେଏମ କରିୟପ୍ପା 1956 ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ ହାଇ-କମିଶନର ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ସାହସିକତା ଦକ୍ଷତା ସବୁବେଳେ ଭାରତୀୟ ସେନାର ପ୍ରେରଣା ହୋଇ ରହିଛି ।
ଏହାବି ପଢନ୍ତୁ- ବିଜେପି ଛାଡିବେ ଗିରିଧର ଗମାଙ୍ଗ ! BRSରେ ହେବେ ସାମିଲ
ଫିଲ୍ଡ ମାର୍ଶଲ କେଏମ କରିୟପ୍ପା ସ୍ବାଧିନ ଭାରତର ପ୍ରଥମ ସ୍ଥଳସେନା ଅଧ୍ୟକ୍ଷ ଭାବେ 15 ଜାନୁୟାରୀରେ ଦାୟିତ୍ବ ନେଇଥିଲେ । ଯାହା ଭାରତୀୟ ସେନା ପାଇଁ ଏକ ଐତିହାସିକ ଦିନ । ଯେତେବେଳେ ଫିଲ୍ଡ ମାର୍ଶଲ କେଏମ କରିୟପ୍ପା ସେନା ମୁଖ୍ୟ ଭାବେ ଦାୟିତ୍ବ ନେଇଥିଲେ ସେତେବେଳେ ଭାରତୀୟ ସେନାର ସୈନ୍ୟ ସଂଖ୍ୟା 2 ଲକ୍ଷ ଥିଲା । ଯାହା ବର୍ତ୍ତମାନ 13 ଲକ୍ଷ ରୁ ଅଧିକ । କେଏମ କରିୟପ୍ପା ଭାରତୀୟ ସେନାରୁ ବର୍ଷ 1953 ରେ ଅବସର ନେଇଥିଲେ । 94 ବର୍ଷ ବୟସରେ 1993ରେ ତାଙ୍କର ନିଧନ ହୋଇଥିଲା ।
ରାଜା ରାଜୁଡା ସମୟରେ ରାଜା ମାନେ ନିଜ ରାଜ୍ୟକୁ ସୁରକ୍ଷିତ ରଖିବା ପାଇଁ ନିଜସ୍ବ ସୈନ୍ୟ ଶକ୍ତି ରଖୁଥିଲେ । ହେଲେ ପ୍ରଥମ ଥର 1776 ରେ ଭାରତରେ ବ୍ରିଟିଶ ସରକାର ତଥା ଇଷ୍ଟ ଇଣ୍ଡିଆ କମ୍ପାନୀ କୋଲକାତା ଠାରେ ସେନା ଗଠନ କରିଥିଲା । ପରେ ଏହାକୁ ବ୍ରିଟିଶ ଭାରତୀୟ ସେନା ଭାବେ ମାନ୍ୟତା ମିଳିଥିଲା । ଦେଶ ସ୍ବାଧୀନ ହେବାର ପରବର୍ତ୍ତୀ ସମୟରେ ଭାରତୀୟ ସ୍ଥଳସେନା ଭାବେ ମାନ୍ୟତା ପାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ