ରାୟପୁର: ପଳାତକ ଘୋଷିତ ଖଲିସ୍ତାନ ନେତା ଅମ୍ରିତପାଲ ସିଂଙ୍କୁ ଛତିଶଗଡ଼ରେ ସମର୍ଥନ । ଅମ୍ରିତପାଲର ସମର୍ଥନରେ ରାଜଧାନୀ ରାୟପୁରରେ ବିଶାଳ ରାଲି ହୋଇଛି । ବିକ୍ଷୋଭକାରୀମାନେ ତେଲିବାନ୍ଧାଠାରୁ ରାଲି ଆରମ୍ଭ କରି ଆମ ଆଦମି ପାର୍ଟିର କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ସେମାନେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ଅମ୍ରିତପାଲରେ ସମର୍ଥନରେ ନାରାବାଜି କରିଥିବା ଦେଖିବାକୁ ମିଳିଛି ।
ଯେତେବେଳେ ବିକ୍ଷୋଭକାରୀମାନେ ରାଲିରେ ବାହାରିଥିଲେ ସେତେବେଳେ ପଳାତକ ଘୋଷିତ ଥିବା 'ଅମ୍ରିତପାଲ ଜିନ୍ଦାବାଦ' ନାରା ଲଗାଇଥିଲେ । ଏହାସହିତ AAP ପାର୍ଟି ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ଙ୍କ ବିରୋଧରେ ମୁର୍ଦ୍ଦାବାଦ ନାରା ଲଗାଇଥିଲେ । ଏ ନେଇ ବାବା ବୁଢା ସାହେବ କମିଟିର ସଦସ୍ୟ ଦିଲେର ସିଂ କହିଛନ୍ତି, "ଅମ୍ରିତପାଲ ନିର୍ଦ୍ଦୋଷ । ଅମ୍ରିତପାଲଙ୍କର କିଛି ବି ଦୋଷ ନାହିଁ । ସେ ଶିଖ୍ ଧର୍ମାବଲମ୍ବୀଙ୍କ ଏକତ୍ରିତ କରିବା ଲାଗି କାମ କରୁଛନ୍ତି । ଯୁବପିଢୀଙ୍କୁ ନିଶାଠାରୁ ଦୂରେଇ ରଖିବା ଲାଗି କାମ କରୁଛନ୍ତି । ଏଥିଲାଗି ସରକାର ଓ ସୁରକ୍ଷା ଏଜେନ୍ସି ଅମ୍ରିତପାଲଙ୍କ ବିରୋଧୀ ପାଲଟିଛନ୍ତି । "
ଏହା ବି ପଢନ୍ତୁ- ରବିବାର ହରିୟାଣାରେ ରାତି କାଟିଛି ଅମ୍ରିତପାଲ ! ଆଶ୍ରୟ ଦେଇଥିବା ମହିଳା ଗିରଫ
ସେ ଆହୁରି କହିଛନ୍ତି ଯେ ଯେପର୍ଯ୍ୟନ୍ତ ଶିଖ୍ ଧର୍ମାବଲମ୍ବୀଙ୍କୁ ନ୍ୟାୟ ପ୍ରଦାନ କରାଯାଇନାହିଁ ସେପର୍ଯ୍ୟନ୍ତ ଟାଟିବନ୍ଧ ଗୁରୁଦ୍ବାରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ । ସେପଟେ ଏ ନେଇ ରାୟପୁରର ବରିଷ୍ଠ ପୋଲିସ ଅଧିକାରୀ ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି, "ରାୟପୁରରେ ଅମ୍ରିତପାଲର ସମର୍ଥକ ପଦଯାତ୍ରା କରିଛନ୍ତି । ପୋଲିସକୁ ଏହି ରାଲି ସମ୍ପର୍କରେ ପୂର୍ବରୁ କୌଣସି ସୂଚନା ମିଳିନଥିଲା । ବିନା ଅନୁମତିରେ ରାଲିରେ ବାହାରୁଥିବାରୁ ଆୟୋଜକଙ୍କୁ ନୋଟିସ ଜାରି କରାଯାଇଛି ।"
ଏହି ଘଟଣା ଉପରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି ଯେ ସ୍ଥାନୀୟ ପ୍ରଶାସନ ଏହା ଉପରେ ନଜର ରଖିଛି । ପଞ୍ଜାବ ଅନେକ ବର୍ଷ ପର୍ଯ୍ୟନ୍ତ ଶାନ୍ତ ରହିଥିଲା । ହେଲେ ଯେବେଠୁ ନୂଆ ସରକାର ଆସିଛି ଏହା ପରେ ପୁଣି ଅଶାନ୍ତି ଦେଖାଦେଇଛି । ଯେଉଁଭଳି ଭାବରେ ଏହି ସ୍ଥିତି ଉପୁଜିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କାରଣ ପଞ୍ଜାବ ହେଉଛି ଏକ ସୀମାବର୍ତ୍ତୀ ଅଞ୍ଚଳ । ଏଭଳି ଘଟଣାକୁ ଅଣଦେଖା କରାଯାଇପାରିବ ନାହିଁ । ଅନ୍ୟପଟେ ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବ୍ରିଜମୋହନ ଅଗ୍ରୱାଲ ମଧ୍ୟ ଅମ୍ରିତପାଲ ସିଂ ବିରୋଧରେ ବାହାରିଥିବା ଏହି ରାଲିକୁ ଦୁର୍ଭାଗ୍ୟଜନକ ବୋଲି କହିଛି ।